ଦ୍ୱିତୀୟ ବିବାହ ଅଭିଯୋଗ: ବରଙ୍କୁ ଉଠାଇନେଲା ପୋଲିସ

ଭଞ୍ଜନଗର,୧୨।୧୨(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ବୁଧବାର ଅପରାହ୍ନରେ ସୋରାଦେବୀ ମନ୍ଦିରରେ ଚାଲିଥିବା ଏକ ବିବାହ ବେଦୀରୁ ବରଙ୍କୁ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ଜଣକ ଦ୍ୱିତୀୟ ବିବାହ କରୁଥିବା ଅଭିଯୋଗ ହୋଇଥିବାରୁ ପୋଲିସ ଏପରି କରିଛି । ଭଞ୍ଜନଗର ବ୍ଲକ ଅଞ୍ଚଳର ଏହି ଯୁବକ ଜଣକ ନିଜ ସ୍ତ୍ରୀ ଏବଂ ୩ ପିଲାଙ୍କୁ ନେଇ ସୁରଟରେ ରହୁଥିଲେ। ସେଠାରେ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଦେଖାଦେଇଥିଲା। ପରେ ଯୁବକ ଜଣକ ଗାଁକୁ ଫେରି ଆସିଥିବା ବେଳେ ପିଲାଙ୍କୁ ଧରି ସ୍ତ୍ରୀ ସୁରଟରେ ରହିଥିଲେ। ଯୁବକ ଜଣଙ୍କ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରିଥିଲେ। କନ୍ୟା ଠିକ୍‌ କରିବା ପରେ ବୁଧବାର ସୋରାଦେବୀ ମନ୍ଦିରରେ ବିବାହ ହେବ ବୋଲି ସ୍ଥିର କରାଯାଇଥିଲା। ତେଣୁ ବର ଏବଂ କନ୍ୟା ମନ୍ଦିରରେ ପହଞ୍ଚିଥିଲେ। ଉଭୟ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ବ୍ରାହ୍ମଣ ମନ୍ତ୍ର ପାଠ ଆରମ୍ଭ କରିଥିଲେ। ତେବେ ବରଙ୍କ ପ୍ରଥମ ସ୍ତ୍ରୀଙ୍କ ମା’ଙ୍କଠାରୁ ଏହି ଖବରପାଇ ପୋଲିସ ସୋରାଦେବୀ ମନ୍ଦିରକୁ ଯାଇ ବିବାହ ବନ୍ଦ କରିବା ସହ ବରକୁ ଉଠାଇ ଆଣିଛି। କନ୍ୟାପକ୍ଷ ଏଭଳି ଅପ୍ରିତିକର ପରିସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିବାହ ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କଠାରୁ ବର ଓ କନ୍ୟା ପକ୍ଷରୁ କୌଣସି ଅନୁମତି ନିଆଯାଇ ନଥିଲା ବୋଲି ଜଣାପଡ଼ିଛି ।