ଦ୍ୱିତୀୟ ଭୂଇଁ ଛ’ କାଠ ଉଠିଲା

ପୁରୀ ଅଫିସ, ୨୭ା୬:ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ଚାରି ନାହାକରେ ପ୍ରଥମ ଭୂଇଁ ଛ’ କାଠ ଉଠିବା ପରେ ଦ୍ୱିତୀୟ ଓ ତୃତୀୟ ଭୂଇଁ ଖଞ୍ଜାଯାଇଥିଲା। ବୁଧବାର ତିନିରଥରେ ପ୍ରଥମ ଭୂଇଁରେ ଚଉଦା ନାହାକା ବୁଲିସାରିବା ପରେ ପ୍ରଥମ ଭୂଇଁ ଟୁଙ୍ଗୁରା ଯାଇଥିଲା। ଏଥିସହ ପ୍ରଥମ ଭୂଇଁ ଖମ୍ବ ଉଠିସାରିବା ପରେ ଦ୍ୱିତୀୟ ଭୂଇଁ ଛ’କାଠ ଉଠିଛି। ଏହାପରେ ଭୂଇଁ ଓରା, ଭୂଇଁ ନାହାକା ଲାଗିବ। ତୃତୀୟ ଭୂଇଁ ଖଞ୍ଜା ସରିଛି। ଏହା ଗୁରୁବାର ରଥ ଉପରକୁ ଉଠିବ। ରଥଖଳାରେ ଅଁଳା, ବଡ଼ ପୋଟଳ କାମ ଆରମ୍ଭ ହୋଇଛି। ତାଳଧ୍ୱଜ ରଥର ରୂପକାର ସତ୍ୟରଞ୍ଜନ ମହାପାତ୍ର କହିଛନ୍ତି, ରଥରେ ପଟାଗୁଜ ଶେଷ ହୋଇଛି। ଏଥିରେ ନରବିରାଳ, ସିଂହବିରାଳ ଓ ଗଜବିରାଳ ଖୋଦେଇ କରାଯାଇଛି। ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଲେଖାଏ ଏବଂ ଦର୍ପଦଳନ ରଥର ୬ଟିକୁ ମିଶାଇ ମୋଟ ୩୦ଟି ପଟାଗୁଜ ରହିଛି। ସେହିପରି ନାଟଗୋଡ଼ ଓ ସିଂହାସନ ନିର୍ମାଣ ଚାଲିଛି। ପ୍ରତି ରଥରେ ୮ଟି ଲେଖାଏ ନାଟଗୋଡ଼ ରହିଛି। ଏଥିରେ ଏକ ଅସୁରର ଚିତ୍ର ଖୋଦେଇ କରାଯାଏ। ତିନିରଥର ୪ଟି ଲେଖାଏ ନାଟଗୋଡ଼ କାମ ସରିଛି। ଦର୍ପଦଳନ ରଥ ଚାର ପରଷା କାମ ସରିଛି। ଅନ୍ୟ ଦୁଇ ରଥର ଏହି କାମ ଜାରି ରହିଛି। ଦୋଳବେଦି କୋଣ ପରିସରରେ କମାରସେବକମାନେ ତୃତୀୟ ଭୂଇଁକଣ୍ଟା ତିଆରି କରୁଛନ୍ତି। ତାଗ, ବାଗିଆ, ଗୋଡ଼ିିଛାଳ କଣ୍ଟା ପ୍ରସ୍ତୁତି ଚାଲିଛି ବୋଲି ତାଳଧ୍ୱଜ ରଥ ରୂପକାର ଜଗନ୍ନାଥ ମହାରଣା କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚିତ୍ରକାର ସେବକମାନେ ରଥପାର୍ଶ୍ୱ ଦେବଦେବୀ ଚିତ୍ର ଅଙ୍କନ କରୁଛନ୍ତି ବୋଲି ନନ୍ଦିଘୋଷ ରଥ ଚିତ୍ରକାର ଦେବଦତ୍ତ ମହାରଣା କହିଛନ୍ତି।