ସରକାରୀ ମାନ୍ୟତା ମିଳି ନ ଥିଲେ ମଧ୍ୟ ଉତ୍ତର ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ବାରିପଦା ସହରକୁ ଲୋକେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହନ୍ତି। ହରିବଳଦେବ ଜୀଉ ମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁରୀ ଶ୍ରୀମନ୍ଦିର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି। ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ଏଭଳି ପରମ୍ପରା ହରିବଳଦେବ ଜୀଉ ମନ୍ଦିରର ସ୍ବାତନ୍ତ୍ର୍ୟ ବହନ କରିଛି। କୁହାଯାଏ, ୧୫୭୫ରେ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜ ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପରିଚାଳନା ଲାଗି ୪ ହଜାରରୁ ଊଦ୍ଧର୍ବ ଏକର ଜମି ଖଞ୍ଜି ଦେଇଥିଲେ। ଜମିରୁ ଉପଲବ୍ଧ ଆୟ ଅର୍ଥରେ ଠାକୁରଙ୍କ ପୂଜାନୀତି ଓ ପରମ୍ପରା ପାଳନ ସହ ମନ୍ଦିରର ରକ୍ଷଣାବେକ୍ଷଣ ଲାଗି ଯୋଜନା ହୋଇଥିଲା। ଦେଶ ସ୍ବାଧୀନ ହେବା ପରେ ଗଡ଼ଜାତ ରାଜ୍ୟ ମୟୂରଭଞ୍ଜ ଓଡ଼ିଶା ସହ ମିଶିବାରୁ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ହାତକୁ ଯାଇଥିଲା। କିନ୍ତୁ ଠାକୁରଙ୍କ ନାମରେ ଥିବା ଜମିରୁ ଅଧିକାଂଶ କାଳକ୍ରମେ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଥିବାରୁ ମନ୍ଦିର ପରିଚାଳନାରେ ସମସ୍ୟା ମୁଣ୍ଡ ଟେକିଛି। ଆବଶ୍ୟକ ପାଣ୍ଠି ଅଭାବରୁ ଦିନେ ଦିନେ ଠାକୁରଙ୍କୁ ଭୋଗ ଲାଗି ମଧ୍ୟ ହୋଇପାରୁ ନାହିଁ। କେବଳ ସେତିକି ନୁହେଁ ଜବରଦଖଲ ଜମି ମୁକୁଳାଇବା ପାଇଁ ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ପାଣ୍ଠି ଅଭାବରୁ ରଥଯାତ୍ରା ସମେତ ଠାକୁରଙ୍କ ଅନ୍ୟ ପରମ୍ପରା ପାଳନ ପାଇଁ ଜନସାଧାରଣଙ୍କ ସହାୟତାଙ୍କୁ ଭରସା କରିବାକୁ ପଡୁଛି। ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦେବା ସାଙ୍ଗକୁ ସେବାୟତଙ୍କ ଦରମା ବୃଦ୍ଧି ଓ ଠାକୁରଙ୍କ ସମ୍ପତ୍ତି ପୁନରୁଦ୍ଧାର ଆଦି ଦାବି ନେଇ ସେବାୟତମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଆସିଥିବା ବେଳେ ହରିବଳଦେବ ଜୀଉ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ। ସେତେବେଳେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଏସବୁ ଦାବି ସମ୍ପର୍କରେ ଅବଗତ କରାଇଥିଲେ। ଭୁବନେଶ୍ୱର ଆସି ଆଲୋଚନା କରି ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ମଧ୍ୟରେ ସରକାର କିଛି ନ କରିବାରୁ ସେବାୟତମାନେ ଏହାର ପ୍ରତିବାଦରେ ଦୁଇ ଦୁଇ ଥର ବାରିପଦାରୁ ଭୁବନେଶ୍ୱର ପଦଯାତ୍ରା ଆରମ୍ଭ କରିବା ସହ ଆଲୋଚନା କରିଥିଲେ ବି ତାହା ଫଳପ୍ରଦ ହୋଇପାରି ନାହିଁ। ପ୍ରଶାସନ ଓ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପାଳନ ନ କରିବା ସେବାୟତଙ୍କ ସମେତ ଜିଲାବାସୀଙ୍କୁ କ୍ଷୁବ୍ଧ କରିଛି। ରାଜ୍ୟ ସରକାର ସଂସ୍କୃତିର ସୁରକ୍ଷା ଓ ବିକାଶ ଦିଗରେ ବିଭିନ୍ନ ମନ୍ଦିରକୁ ଅନୁଦାନ ଦେଉଥିବା ବେଳେ ବାରିପଦା ମନ୍ଦିରକୁ ଅଣଦେଖା କରିବା ଚିନ୍ତାଜନକ ବୋଲି ସହରବାସୀ ଅଭିଯୋଗ କରିଛନ୍ତି।