Categories: ଖେଳ

ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ଛକା

ରାଞ୍ଚତ୍, ୨୦।୧୦- ରୋହିତ୍‌ ଶର୍ମାଙ୍କ ନାମରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଛି। କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ଛକା ମାରିବାର ରେକର୍ଡର ଅଧିକାରୀ ରୋହିତ୍‌ ହୋଇଛନ୍ତି। ଏଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟ ଅବସରରେ ସେ ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ୍‌ ହରାଇ ୨୨୪ ରନ କରିଛି। ‘ହିଟ୍‌ ମ୍ୟାନ’ ଭାବେ ପରିଚିତ ରୋହିତ୍‌ ମ୍ୟାଚ୍‌ରେ ୧୧୭ ରନର ଶତକୀୟ ଇନିଂସ ଖେଳି ଅପରାଜିତ ରହିଛନ୍ତି, ଯେଉଁଥିରେ ୧୪ ଚୌକା ଓ ୪ ଛକା ସାମିଲ ରହିଛି। ମୋଟ୍‌ ଉପରେ ସେ ଏହି ସିରିଜରେ ବର୍ତ୍ତମାନ ସୁଦ୍ଧା ୧୬ ଛକା ମାରିଛନ୍ତି। ଏଥିସହ ଗୋଟିଏ ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ସର୍ବାଧିକ ଛକା ମାରିବାରେ ରୋହିତ୍‌ ଓ୍ବେଷ୍ଟଇଣ୍ଡିଜର ସିମରନ ହେଟ୍‌ମେରଙ୍କୁ ପଛକରେ ପକାଇ ଦେଇଛନ୍ତି। ପୂର୍ବରୁ ସିମରନ ୨୦୧୮-୧୯ ସିଜନରେ ବାଂଲାଦେଶ ବିପକ୍ଷ ସିରିଜରେ ୧୫ ଛକା ମାରି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ସେହିଭଳି ଗୋଟିଏ ସିରିଜରେ ୩ କିମ୍ବା ଏହାଠାରୁ ଅଧିକ ଶତକ ହାସଲ କରିବାରେ ରୋହିତ୍‌ ୨ୟ ଭାରତୀୟ ଓପନର୍‌ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପୂର୍ବରୁ ସୁନୀଲ ଗାଭାସ୍କର ୩ଟି ଭିନ୍ନ ଭିନ୍ନ ସିରିଜରେ ତିନିଥର ଏହି ସଫଳତା ପାଇଥିଲେ।

Share