Advertisement

ଦୟନୀୟ ସ୍ଥିତିରେ ଶତାଧିକ କୁମ୍ଭକାର ପରିବାର

ଜୁନାଗଡ,୨୬।୪(ଡି.ଏନ୍‌.ଏ.)  ମହାମାରୀ କରୋନା ଯୋଗୁ ସରକାରଙ୍କ କଟକଣା ଓ ଲକ୍‌ଡାଉନ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ଗ୍ରାମରେ ମାଟି ସାମଗ୍ରୀ ତିଆରି କରି ପେଟ ପୋଷୁଥିବା ଶତାଧିକ କୁମ୍ଭକାର ପରିବାର ଏବେ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ବର୍ତ୍ତମାନ ସେମାନଙ୍କ ପାଇଁ ଦୁଇବେଳା ଖାଇବା ଯୋଗାଡ କରିବା ମଧ୍ୟ କଷ୍ଟକର ହୋଇପଡିଛି। ଗ୍ରାମରେ ୩ଶହ କୁମ୍ଭାର ପରିବାର ରହୁଥିବାବେଳେ ସେଥିମଧ୍ୟରୁ ଶହେ ପରିବାର ମାଟି ସାମଗ୍ରୀ ତିଆରି କରନ୍ତି। ମାଟିରେ ତିଆରି ହାଣ୍ଡି,ପଲମ,ସୁରେଇ,ତେଲୁଣି ଆଦି ବିଭିନ୍ନ ପ୍ରକାର ସାମଗ୍ରୀକୁ ସ୍ଥାନୀୟ ଗ୍ରାମ ଓ ବଜାରରେ ବିକ୍ରି କରି ସେମାନେ ଜୀବିକା ନିର୍ବାହ କରିଥାନ୍ତି। ସେହିପରି ବିବାହ, ବ୍ରତ ଓ ଶୁଦ୍ଧ ଆଦି ସାମାଜିକ କାମରେ ମଧ୍ୟ ଏହି ଗଁାର ମାଟି ସାମଗ୍ରୀ ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ଜାନୁୟାରୀରୁ ଜୁନ୍‌ ୬ମାସ ଯାଏଁ ମାଟିପାତ୍ରର ଭଲ ବ୍ୟବସାୟ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏହି ଗଁାର କୁମ୍ଭକାରମାନେ ମାଟି ସାମଗ୍ରୀ ତିଆରି କରିଥିଲେ। ହେଲେ କରୋନା ମହାମାରୀ ସବୁ ବିଗାଡିଦେଲା। ଲକ୍‌ଡାଉନ କଟକଣା ଯୋଗୁ ବିବାହ, ବ୍ରତ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ବନ୍ଦ କରି ଦିଆଯାଇଛି ା ଫଳରେ ତିଆରି ସାମଗ୍ରୀ ସେମିତି ଘରେ ପଡି ରହିଛି । ନିଜ ପରିଶ୍ରମ କଥା ଛାଡନ୍ତୁ ଟ୍ରାକ୍ଟରରେ ମାଟି ଆଣି ପାତ୍ର ଗଢିବା ଓ କାଠ କିଣି ତାକୁ ପୋଡିବାରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ଫେରସ୍ତ ମିଳିବା ସମ୍ଭାବନା ନାହିଁ ବୋଲି କୁମ୍ଭକାର ପୂର୍ଣ୍ଣଚନ୍ଦ୍ର ରଣା ଦୁଃଖର ସହ କହିଛନ୍ତି। ତେଣୁ ସରକାର କୁମ୍ଭକାରମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ମୋହନ ରଣା, ଗଞ୍ଜିଲ ରଣା, ପଦ୍ମନ ରଣା, ରୁଦ୍ର ରଣା, ସୁଦାନ ରଣା, ବିଶ୍ୱାମିତ୍ର ରଣା, ଚୌବନ ରଣା, ଭାସ୍କର ରଣା, କୈଳାସ ରଣା ପ୍ରମୁଖ କୁମ୍ଭକାର ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share