ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ: ପ୍ଲାଷ୍ଟିକ୍‌ ପରିବର୍ତ୍ତେ ଏଥର କଦଳୀ ବାସୁଙ୍ଗା ଡଙ୍ଗା

ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ/ ଡି.ଏନ୍‌.ଏ.):କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସନ୍ତା ୧୨ରେ ଦୟାନଦୀ ଲିଙ୍ଗିପୁର ଘାଟରେ ‘୮ମ ଦୟାନଦୀ ବୋଇତ ବନ୍ଦାଣ ଉସତ୍ବ’ ଅନୁଷ୍ଠିତ ହେବ। ଏଥିପାଇଁ ଦୟାନଦୀ କୂଳରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋଚ୍‌)ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋର ୩ଟାରୁ ଭଜନ ସମାରୋହ ଅନୁଷ୍ଠିତ ହେବ। ଚଳିତବର୍ଷ ସାମାଜିକ କର୍ମୀ ଗୋବିନ୍ଦ ପଟ୍ଟନାୟକଙ୍କୁ ଦୟାନଦୀ ସମ୍ମାନରେ ସମ୍ମାନିତ କରାଯିବ। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଚଳିତବର୍ଷ ସୋଲ ଓ ପ୍ଲାଷ୍ଟିକ ଡଙ୍ଗା ବଦଳରେ କଦଳୀ ବାସୁଙ୍ଗାରେ ତିଆରି ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ। ଏଥିପାଇଁ ମାଗଣାରେ କଦଳୀ ବାସୁଙ୍ଗା ଡଙ୍ଗା ଯୋଗାଇ ଦିଆଯିବ। ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ନଦୀ କୂଳରେ ବାଣ ନ ଫୁଟାଇବା ନିମନ୍ତେ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ନଭେମ୍ବର ୧୩ ସକାଳେ ଅନୁଷ୍ଠାନ ତରଫରୁ ଘାଟ ସଫେଇ କରାଯିବ। ବୈଠକରେ ଚିତ୍ତରଞ୍ଜନ ମହାନ୍ତି, ରବୀନ୍ଦ୍ର ପାତ୍ର, ସୁବାସ ସୁନ୍ଦରାୟ, ରଶ୍ମି ରଞ୍ଜନ ଶ୍ରୀଚନ୍ଦନ, ଭକ୍ତ ଭୂଷଣ ବାରିକ, ବିଜୟ ସାମନ୍ତରାୟ, ନବ କିଶୋର ପରିଡ଼ା, ବିଭୂତି ପ୍ରଧାନ, କ୍ଷୀରୋଦ ପ୍ରଧାନ, ପ୍ରମୋଦ ସ୍ବାଇଁ, ଦୀନବନ୍ଧୁ ସ୍ବାଇଁ, ସଦାଶିବ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

Share