ଦୟା, ରାଜୁଆ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଜଳମଗ୍ନ: ଲୋକେ ଆତଙ୍କିତ

କଣାସ, ୧୦।୯(ସ୍ବ.ପ୍ର.)-ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲା କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟା ଓ ରାଜୁଆ ନଦୀରେ ଜଳ ପତ୍ତନ ବୃଦ୍ଧିପାଇଛି। କଣାସଠାରେ ଦୟାନଦୀର ବିପଦ ସଙ୍କେତ ୩.୯୯ମିଟର ଥିବାବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୫.୨୨ମିଟର ଜଳ ପ୍ରବାହିତ ହେଉଛି। ଫଳରେ ଏହି ଦୁଇ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଛି। ଦୟା ଓ ଲୁଣାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ତ୍ରିଲୋଚନପୁର, କଣାସ, ସିରେଇ, ବିଜିପୁର, ଅଣ୍ଡାରସିଂହ, ନନ୍ଦିଗୋଦା, ଗଡସାହି, ଖଣ୍ଡହତା, ଜାମଳଗୋଦା, ଆଳିବାଡ, ଗଡିଶାଗୋଦା ଗ୍ରାମପଞ୍ଚାୟତର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ମାଧିପୁର କାଜରୁ ବନ୍ୟାଜଳ ନିଷ୍କାସିତ ହୋଇ ଏହି ଅଞ୍ଚଳରେ ମାସ ମାସ ଧରି ଜମିରହି ବିଭିନ୍ନ ସମସ୍ୟା ସୃଷ୍ଟି କରିବ। କଣାସ-ଗୋଳବାଇ ରାସ୍ତାର ଦୋକନ୍ଦା ନିକଟରେ ୩ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଥିବାରୁ ଯାତାୟତ ବନ୍ଦ ରହିଛି। ଦୋକନ୍ଦା, ବାଲିପାଟଣା, ତରପଡା, ବଡାସ, ବୈଦ୍ୟନାଥପାଟଣା ଗାଁ ଦାଣ୍ଡରେ ବନ୍ୟା ପାଣି ଜମିଛି। କଣାସ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମକରା ବେହେରା କଣାସଠାରେ ଉପସ୍ଥିତ ରହି ନଦୀବନ୍ଦର ସୁରକ୍ଷା ଦିଗରେ ଧ୍ୟାନ ଦେଉଛନ୍ତି। ଚାଷ ଜମିଗୁଡିକରେ ବନ୍ୟାଜଳ ଜମିରହି ଲହଡା ଭାଙ୍ଗୁଛି। ପାଣିରେ ଧାନଗଛ ବୁଡିଯିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚତ୍ ନ ଥିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବନ୍ଧର ସୁରକ୍ଷା ପାଇଁ ବାଲି ବସ୍ତା ରଖାଯାଇଛି।

Share