ଧନଞ୍ଜୟଙ୍କ ରାଜ୍ୟାଭିଷେକ

କେନ୍ଦୁଝର, ୧୮ା୧୨(ଡି.ଏନ୍‌.ଏ.)-ପିତା ଅନନ୍ତ ନାରାୟଣ ଭଞ୍ଜଦେଓଙ୍କ ପରଲୋକ ପରେ କେନ୍ଦୁଝରର ୪୯ତମ ନୂତନ ରାଜା ଭାବେ ଅଭିଷେକ ହୋଇଥିବା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ସୋମବାର ଠାକୁରଙ୍କୁ ଦର୍ଶନ କରିବା ସହ ଅଭିଷେକ ଶୋଭାଯାତ୍ରା କରିଛନ୍ତି। କେନ୍ଦୁଝର ପୁରୁଣା ରାଜବାଟୀଠାରେ ପୂଜା ପାଉଥିବା ମା’ ଗଡତାରିଣୀଙ୍କ ମନ୍ଦିରରୁ ଆଜ୍ଞାମାଳ ନେଇ ଛତ୍ର, ଚାମର, କାହାଳି ଓ ଅନ୍ୟାନ୍ୟ ପାରମ୍ପରିକ ଶୋଭାଯାତ୍ରାରେ ଏକ ଅଶ୍ୱରେ ବସି ସହର ପରିକ୍ରମା କରିଥିଲେ। ଏହାପରେ ସେ କେନ୍ଦୁଝରର ରାଷ୍ଟ୍ରଦେବତା ବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। କେନ୍ଦୁଝରର ରାଜାଙ୍କ ସହିତ ଛୋଟରାୟ ଜନ୍ମେଜୟ ନାରାୟଣ ଭଞ୍ଜଦେଓ, ରାଜ ପୁରୋହିତ ପ୍ରଶନ୍ନ କୁମାର ନନ୍ଦ, ରାଜ କର୍ମଚାରୀ ଓ ସହରର ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମା’ ଗଡତାରିଣୀ ମନ୍ଦିରର ବରିଷ୍ଠ ପୂଜକ କାଳନ୍ଦୀ ଚରଣ ଦେହୁରୀ ତାରିଣୀଙ୍କ ଛତ୍ର ଧରିଥିବାବେଳେ ଅନ୍ୟତମ ଦେହୁରୀ ଶିବାନନ୍ଦ ଦେହୁରୀ ଚାମର ସେବା କରିଥିଲେ।