Categories: ବାଣିଜ୍ୟ

ଧନୀଙ୍କଠୁ ଆଦାୟ ହେବ ସରଚାର୍ଜ

ବଜେଟ ୨୦୧୯ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଚ୍ଚୋଟ ଟିକସଦାତାଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ ଦେଶର ଦାୟିତ୍ୱସମ୍ପନ୍ନ ନାଗରିକ ରୂପେ ଦେଶର ବିକାଶରେ ମୂଲ୍ୟବାନ ଯୋଗଦାନ ଦେଉଛନ୍ତି। ସେମାନଙ୍କ ଯୋଗୁ ଦେଶର ବିକାଶ ଚତୁର୍ମୁଖୀ ହେଉଛି। ତେବେ ଧନିକ ଶ୍ରେଣୀଙ୍କୁ ମୋଦି ସରକାର ଝଟକା ଦେଇଛନ୍ତି। ଏବେ ୨ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୩% ଏବଂ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ୭% ଅତିରିକ୍ତ ସରଚାର୍ଜ ଦେବାକୁ ହେବ। ଏହାଛଡ଼ା ବ୍ୟାଙ୍କରୁ ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ନଗଦ ରାଶି କାଢ଼ିବା କ୍ଷେତ୍ରରେ ଏହା ଉପରେ ୨% ଟିଡିଏସ୍‌ ଆଦାୟ କରାଯିବ। ଏହାର ଅର୍ଥ ବାର୍ଷିକ ୧ କୋଟି ଟଙ୍କା କାଢ଼ିବା ମାତ୍ରେ ଟିକସଦାତାଙ୍କ ଠାରୁ ୨ ଲକ୍ଷ ଟଙ୍କା କାଟି ନିଆଯିବ। ତେବେ ଅନ୍ତରୀଣ ବଜେଟରେ ଦିଆଯାଇଥିବା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ବଳବତ୍ତର ରହିଛି। ସେହିପରି ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି। ତେବେ ଘର କିମ୍ବା ଇ-ଯାନ କିଣିବା କ୍ଷେତ୍ରରେ ଟିକସଦାତାଙ୍କୁ ଅତିରିକ୍ତ ଟିକସ ଛାଡ଼ ସୁବିଧା ମିଳିବ। ଇ-ଗାଡ଼ି କିଣିବା କ୍ଷେତ୍ରରେ ଋଣ ଉପରେ ଲାଗୁ ଥିବା ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଅତିରିକ୍ତ ଆୟକର ଛାଡ଼ ମିଳିବ। ପୂର୍ବରୁ ଏହା ଉପରେ ୨ ଲକ୍ଷ ଟଙ୍କାର ଛାଡ଼ ମିଳୁଛି। ଫଳରେ ଟିକସଦାତାଙ୍କୁ ମୋଟରେ ୩.୫ ଲକ୍ଷ ଟଙ୍କାର ଟିକସ ଛାଡ଼ ମିଳିବ।

Share