ଧନୀ ମନ୍ଦିରଗୁଡ଼ିକ ସୁନା ଦାନ କରନ୍ତୁ କହି ଟ୍ରୋଲ୍‌ ହେଲେ ଫିଲ୍ମନିର୍ମାତା

ବମ୍ବେ: ସାରା ବିଶ୍ୱ ଏବେ କରୋନା କବଳରେ। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ମୁକାବିଲା ଲାଗି ଲକ୍‌ଡାଉନ୍‌ ଜାରି ରହିଥିବାରୁ ଲୋକମାନେ ଖାଦ୍ୟ ବିନା ଆଉଟୁପାଉଟୁ ହେଉଥିବା ନଜରକୁ ଆସୁଛି। ବିଶେଷକରି ଖଟିଖିଆ ତଥା ଶ୍ରମିକ ଶ୍ରେଣୀୟ ଲୋକେ ଏଥିରେ ପ୍ରଭାବିତ ହେଉଛନ୍ତି। ଏଭଳିସ୍ଥିତିରେ ସରକାରଙ୍କୁ ଅନେକେ ସହଯୋଗର ହାତ ବଢ଼ାଉଛନ୍ତି। ହେଲେ ଦେଶର ଧନୀ ମନ୍ଦିରଗୁଡ଼ିକ ଏହି ସମୟରେ ଗଚ୍ଛିତ ନବେ ପ୍ରତିଶତ ସୁନା ଦାନ କରନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି ଫିଲ୍ମ ନିର୍ମାତା ସୁଭାଷ ଘାଇ।

ସୁଭାଷ ଏକ ଟୁଇଟ୍‌ କରି କହିଛନ୍ତି, ଭଗବାନଙ୍କ ମନ୍ଦିର ଯିବା ପାଇଁ ଏହା ଠିକ୍‌ ସମୟ ନୁହେଁ କି? ଯେତେସବୁ ଧନୀ ମନ୍ଦିର ରହିଛି ଏବଂ ଯେଉଁମାନଙ୍କ ପାଖରେ ପର୍ଯ୍ୟାପ୍ତ ସୁନା ମହଜୁଦ ଅଛି। ସେମାନେ ଆଗକୁ ଆସି ସରକାରଙ୍କୁ ନିଜର ନବେ ପ୍ରତିଶତ ସୁନା ଦିଅନ୍ତୁ। ଏହାଦ୍ୱାରା ଗରିବ ଲୋକମାନଙ୍କର କଷ୍ଟ ଦୂର ହୋଇପାରିବ। ଭଗବାନଙ୍କୁ ଦେଖି ସବୁ ଲୋକ ମଧ୍ୟ ସେସବୁ ଦାନ କରିଛନ୍ତି। ଏହାଛଡ଼ା ଟୁଇଟ୍‌ରେ ସେ ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଟ୍ୟାଗ୍‌ କରିଥିବା ଦେଖାଯାଇଛି।

ସୁଭାଷଙ୍କ ଏହି ଟୁଇଟକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକେ ଏହାକୁ ବିରୋଧ କରି ଟ୍ରୋଲ୍‌ କରିଛନ୍ତି। ସେ ନିଜେ ଦାନ କରିବା ଉଚିତ୍‌। ଏପରିକି ଏହାକୁ ନେଇ ସେ ରାଜନୀତି କରନ୍ତୁ ନାହିଁ ବୋଲି ଟ୍ରୋଲର୍‌ କହୁଛନ୍ତି।

Share