ଅକ୍ଷୟ ମହାନ୍ତି
ଆଉ ଦିନକ ପରେ ଗୁରୁଦିବସ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଓ ସମର୍ଥ ରାମଦାସଙ୍କ ପରି ଗୁରୁ କ’ଣ ଆଉ ଜନ୍ମ ହେବେନି? ଗୁରୁ ରାମଦାସ ଓ ଶିବାଜୀଙ୍କ ବିଷୟରେ ଛୋଟିଆ କଥାଟିଏ। ଗୁରୁଙ୍କର ସଦା ପ୍ରସନ୍ନତା ଦେଖି ଶିବାଜୀ ଭାବିଲେ ସେ ଯଦି ସନ୍ନ୍ୟାସୀ ହୋଇଯିବେ, ତେବେ ସେ ବି ଗୁରୁଙ୍କ ପରି ସବୁବେଳେ ସାଧନଭଜନ କରି ଓ ସାଂସାରିକ ଦାୟଦାୟିତ୍ୱରୁ ମୁକ୍ତ ରହି ପ୍ରସନ୍ନ ରହିପାରିବେ। ଗୁରୁଙ୍କୁ ଅଭିପ୍ରାୟ ଜଣାନ୍ତେ ସେ ସ୍ମିତହାସ୍ୟ କରି ସମ୍ମତି ଜଣାଇଲେ। ସନ୍ନ୍ୟାସ ନେବା ପୂର୍ବରୁ ସେ ରାଜ୍ୟଭାର କାହାକୁ ଦେବେ ବୋଲି ଗୁରୁଙ୍କୁ ପ୍ରଶ୍ନ କରନ୍ତେ ଗୁରୁ କହିଲେ, ମୋତେ ଦେଇଦେ। ଶିବାଜୀ ଆଞ୍ଜୁଳାଏ ପାଣି ହାତରେ ଟେକିଦେଇ କହିଲେ- ହେ ଗୁରୁଦେବ! ଏ ସମଗ୍ର ରାଜ୍ୟ ମୁଁ ଆପଣଙ୍କ ହାତରେ ଅର୍ପଣ କରିଦେଲି। ତା’ପରେ ଏକ ଗେରୁଆ ବସ୍ତ୍ର ପରିଧାନ କରି ସନ୍ନ୍ୟାସ ଦୀକ୍ଷା ନେବାକୁ ଗୁରୁଦେବଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ। ଉପସ୍ଥିତ ସଭାସଦ୍ ଏବଂ ରାଜ୍ୟବାସୀ ଦୁଃଖରେ ମ୍ରିୟମାଣ ହୋଇ ପଡ଼ୁଥିଲେ। ଶିବାଜୀ ନିଜର ଦୈନନ୍ଦିନ ଚଳଣି ଲାଗି କିଛି ଅର୍ଥ ନେବାକୁ ଇଚ୍ଛାପ୍ରକଟ କଲେ। ଗୁରୁଦେବ ତତ୍କ୍ଷଣାତ୍ ଏହା ଉପରେ ରୋକ୍ ଲଗାଇ କହିଲେ, ଶିବାଜୀ ତୁମେ ତୁମର ସମଗ୍ର ରାଜ୍ୟ ମୋତେ ଦାନ କରିଦେଇଛ। ରାଜକୋଷ ଉପରେ ତୁମର କୌଣସି ଅଧିକାର ନାହିଁ। ତୁମେ କିଛି ନେଇପାରିବ ନାହିଁ। ଗୁରୁଦେବ କହିଲେ, ଶିବାଜୀ ମୁଁ ତୁମର ଗୁରୁ। ମୁଁ ଏ ରାଜ୍ୟର ଶାସନକର୍ତ୍ତା। ମୁଁ ଯାହା କହିବି, ତୁମେ ମାନିବାକୁ ବାଧ୍ୟ। ଯେହେତୁ ମୁଁ ଜଣେ ସନ୍ନ୍ୟାସୀ, ଏ ରାଜ୍ୟ ଚଳାଇବା ପାଇଁ ଜଣେ ଯୋଗ୍ୟ ଲୋକ ବାଛିବା ମୋର କର୍ତ୍ତବ୍ୟ। ଏ ରାଜ୍ୟକୁ ସୁଶାସନ ଦେବା, ରାଜ୍ୟର ସୀମାକୁ ସୁରକ୍ଷିତ ରଖିବା ଭଳି ବ୍ୟକ୍ତି ତୁମ ଛଡ଼ା ଆଉ କେହି ମୋ ଆଖିକୁ ଦେଖାଯାଉନାହାନ୍ତି। ତୁମକୁ ମୋର ସେବକ ଭାବରେ ଏ ରାଜ୍ୟର ଶାସନ ଏବଂ ସୁରକ୍ଷାଭାର ତୁମ ହାତରେ ହିଁ ଅର୍ପଣ କରୁଛି। ନଗରବାସୀଙ୍କର ଜୟଜୟକାର ଧ୍ୱନିରେ ରାଜ୍ୟ ପ୍ରକମ୍ପିତ ହୋଇ ଉଠିଲା। ଧନ୍ୟ ସେହି ଗୁରୁ, ଧନ୍ୟ ସେହି ଶିଷ୍ୟ।
ମହୁରା, ଭୁବନେଶ୍ୱର, ମୋ-୯୯୩୭୪୬୨୫୦୭