ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଇ

ସମ୍ବଲପୁର, ୨୮।୯(ବ୍ୟୁରୋ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଶନିବାର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ପଞ୍ଚବାଦ୍ୟ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ଶବ୍ଦରେ ମନ୍ଦିର ପରିସର ଉଛୁଳି ପଡୁଛି। ଭୋର ୪ଟାରୁ ଦେବୀଙ୍କ ଧବଳମୁଖୀ ତଥା ଗଙ୍ଗାବେଶ ଦର୍ଶନ ପାଇଁ ଭକ୍ତମାନେ ଧାଡିବାନ୍ଧି ଅପେକ୍ଷା କରିଥିଲେ। ପ୍ରାତଃ ୪ଟା ୪୫ ମିନିଟ୍‌ରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲାଯାଇଥିଲା। ପରମ୍ପରା ଓ ରୀତିନୀତି ଅନୁସାରେ ଆଶ୍ୱିନ ମହାଳୟା ତିଥିରେ ଇଷ୍ଟଦେବୀ ସମଲେଇଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ଆଶ୍ୱିନ ପ୍ରତିପଦା ତିଥି (୩୦ ତାରିଖ) ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମଲେଇ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ରୀତି ରହିଛି। ଶୁକ୍ରବାର ମଧ୍ୟରାତ୍ର ୧୨ଟାରେ ପୂଜକମାନେ ମନ୍ଦିର ଗମ୍ଭିରା ସଫା କରିଥିଲେ। ଗୋପୀ ତିଳକ, ଶଙ୍ଖର ମିଶ୍ରଣରେ ଦେବୀଙ୍କୁ ଧବଳମୁଖୀ ବେଶ କରାଯାଇଥିଲା। ରାତି ସାଢ଼େ ୩ଟାରେ ବେଶ ଶେଷ ହୋଇଥିଲା। ପରେ ପୂଜକମାନେ ମହାନଦୀ ସମଲେଇ ଘାଟରେ ସ୍ନାନ କରିଥିଲେ। ପିତ୍ତଳ ପାତ୍ର (ଗରିଆ)ରେ ପାଣି ଆଣି ଦେବୀଙ୍କୁ ସ୍ନାନ କରାଯାଇଥିଲା। ସମ୍ବଲପୁରୀ ଶ୍ୱେତ ପାଟବସ୍ତ୍ର ଦେବୀଙ୍କୁ ପରିଧାନ କରାଯାଇଥିଲା। ପ୍ରାତଃ ୪ଟାରେ ମହାଆଳତି ସହ ଭୁବନେଶ୍ୱରୀଙ୍କ ବୀଜମନ୍ତ୍ରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ମୁଗ ଓ ଗୁଡ଼ରେ ପ୍ରସ୍ତୁତ (ମୁଗବରା) ଭୋଗ ଲାଗିଥିଲା। ସକାଳ ୪ଟା ୪୫ ମିନିଟରୁ ଭକ୍ତଙ୍କ ଦର୍ଶନ ଲାଗି ଦ୍ୱାର ଉନ୍ମୁକ୍ତ ହୋଇଥିଲା । ମଧ୍ୟାହ୍ନ ୧୨ଟାରେ ଅନ୍ନଭୋଗ, ରାତି ୮ଟାରେ ସନ୍ଧ୍ୟା ଆଳତି ଓ ୯ଟାରେ ଅନ୍ନଭୋଗ ଲାଗିଥିଲା। ମଧ୍ୟରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ଦେବୀଙ୍କୁ ଦର୍ଶନ କରିଥିଲେ । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ପୂଜାର୍ଚ୍ଚନା କରିଥିଲେ। ପୂଜକ ଅମିୟ ରାୟ, ସୁଧାଂଶୁ ରାୟ, ଗଙ୍ଗାଧର ରାୟ, ପ୍ରକାଶ ରାୟ, ନିର୍ଭୟ ରାୟ, ପ୍ରଶାନ୍ତ ରାୟ ପ୍ରମୁଖ ଦେବୀଙ୍କୁ ବେଶ କରିଥିଲେ। ଧବଳମୁଖୀ ଦର୍ଶନ କରିଥିବା ଭକ୍ତଙ୍କୁ ସମଲେଇଙ୍କ ପ୍ରିୟଭୋଗ ମୁଗବରା ପ୍ରସାଦ ବଣ୍ଟନ କରାଯାଇଥିଲା। ଟ୍ରଷ୍ଟବୋର୍ଡ ସଭାପତି ସଂଜୟ କୁମାର ବାବୁ, ଟ୍ରଷ୍ଟସଭ୍ୟ, କାର୍ଯ୍ୟନିର୍ବାହ ଅଧିକାରୀ, ଦଶହରା ପୂଜା କମିଟି ସଭାପତି, ସମ୍ପାଦକ ଓ ସଭ୍ୟାମାନେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରିଥିଲେ ।

Share