ଧରାକୋଟରେ ଆନ୍ଧ୍ର ପୋଲିସର ଚଢ଼ାଉ: ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟରେ ହାଜର ନିର୍ଦ୍ଦେଶ

ଧରାକୋଟ,୨୬ା୧୧(ଡି.ଏନ.ଏ.)-ଧରାକୋଟ ଥାନା ବାଦଗଡ଼ ଗ୍ରାମର ୨ ଜଣ ଯୁବକଙ୍କୁ ବେଆଇନ୍‌ ଗଞ୍ଜେଇ ଚାଲାଣ ଅଭିଯୋଗରେ ଆନ୍ଧ୍ର ଜିଆରପି (ବିଜୟଓ୍ବାଡ଼ା) ପୋଲିସ ନଂ. ୮୬/୧୩ ଅନୁଯାୟୀ କୋର୍ଟଚାଲାଣ କରିଥିଲା। ସେମାନେ ହେଲେ ବାଦଗଡ଼ ଗ୍ରାମର କାମରାଜ ପ୍ରଧାନଙ୍କ ପୁଅ ସୁଦାମ (୨୭) ଓ ମିଟୁ ସାହୁଙ୍କ ପୁଅ ମିଥୁନ (୨୫)। ବିଜୟୱାଡ଼ା ମେଟ୍ରୋ ପଲିଟାନ ସେଶନ କୋର୍ଟ ଏମାନଙ୍କୁ ଜାମିନ ପ୍ରଦାନ କରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇ ନ ଥିବାରୁ ଏମାନଙ୍କ ବିରୋଧରେ କୋର୍ଟ ଓ୍ବାରେଣ୍ଟ ଜାରି କରିଛି। ଏ ନେଇ ସୋମବାର ଧରାକୋଟ ପୋଲିସ ସହାୟତାରେ ଆନ୍ଧ୍ର ପୋଲିସର ଏକ ଟିମ ବାଦଗଡ଼ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କ ଘର ଆଗରେ ଲଟକା ଜାରି କରିବା ସହ ଧେଣ୍ଡୁରା ଦେଇଛି। ଡିସେମ୍ବର ୨୭ ତାରିଖ ସୁଦ୍ଧା ଅଭିଯୁକ୍ତଦ୍ୱୟ କୋର୍ଟରେ ହାଜର ନ ହେଲେ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଅଭିଯୁକ୍ତମାନଙ୍କ ଗୃହ ସମ୍ମୁଖରେ ଲଟକା ଜାରି କରାଯାଇଛି। ଅଭିଯୁକ୍ତ ଦ୍ୱୟଙ୍କୁ ଧରାକୋଟ ପୋଲିସ ସହାୟତାରେ ଆନ୍ଧ୍ର ପୋଲିସ ଖୋଜିବା ପାଇଁ ଚଢ଼ାଉ ଜାରି ରଖିଛି। ଏଏସ୍‌ଆଇ କୁମୁଦ ସେଠୀଙ୍କ ସହ କନଷ୍ଟେବଳ ଶ୍ରୀନିବାସ ଗୌଡ଼ ଓ ଆନ୍ଧ୍ର ଜିଆର୍‌ପି (ବିଜୟୱାଡ଼ା) ପୋଲିସ ପକ୍ଷରୁ ସିଏଚ୍‌ ରାଜା ଅରବିନ୍ଦ ନାଥ ଏବଂ ଏସ. ଶ୍ୟାମ ସଦଳବଳ ଚଢ଼ାଉରେ ସାମିଲ ଥିଲେ।

Share