ଧରାକୋଟ ଜଗନ୍ନାଥ ମନ୍ଦିର: ସ୍ନାନବେଦୀରେ ଠାକୁରଙ୍କୁ ଦେଖିପାରିବେନି ଭକ୍ତ

ଧରାକୋଟ,୪ା୬(ଡି.ଏନ.ଏ.)- ମହାମାରୀ କରୋନା ପାଇଁ ବିଭିନ୍ନ ମନ୍ଦିରର ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି। ଧରାକୋଟ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଏଥର ସ୍ନାନବେଦୀରେ ୩ ଠାକୁରଙ୍କୁ ଦେଖିପାରିବେନି ଭକ୍ତ। ବିଧି ମୁତାବକ ସୀମିତସଂଖ୍ୟକ ସେବାୟତ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ସ୍ନାନବେଦୀକୁ ନେବେ। ସୁନା କୁଅରୁ ୧୦୮ ଗରା ଜଳ ଓ ପଇଡ଼ ପାଣି ଦ୍ୱାରା ଶ୍ରୀଜୀଉଙ୍କୁ ସ୍ନାନ କରାଯିବ। ପରେ ହାତୀବେଶରେ ସଜ୍ଜିତ କରି ଅଣସର ଘରକୁ ବିଜେ କରାଯିବ। ଅଣସର ପଟ୍ଟଚିତ୍ର ନେତ୍ର ଉତ୍ସବ ପର୍ଯ୍ୟନ୍ତ ପୂଜା ପାଇବେ। ଏହା ମଧ୍ୟରେ ଠାକୁରମାନେ ଅନ୍ନଭୋଗ ଛାଡ଼ି ଗଜାମୁଗ ଫ ଫଳ ଆହାର କରିବେ। ସ୍ନାନ ଯାତ୍ରାକୁ ଶୃଙ୍ଖଳିତ କରିବାକୁ ଦେବୋତ୍ତର ବିଭାଗ ଗୁମସ୍ତା ଅଶୋକ କୁମାର ଗୌଡ଼ ସ୍ଥାନୀୟ ଥାନାଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଏ ସମ୍ପର୍କରେ ଥାନାଧିକାରୀ ସହଦେବ ମହାପାତ୍ର କହିଛନ୍ତି ପୁରୀରେ ପୋଲିସ ପ୍ରଶାସନ ଉପସ୍ଥିତିରେ ଯେପରି ସ୍ନାନଯାତ୍ରା ହେଉଛି, ଧରାକୋଟରେ ମଧ୍ୟ ସେପରି ହେବ। ଭକ୍ତମାନେ ଏହି ଖବର ପାଇ ନିରାଶ ହୋଇଛନ୍ତି।