ଧରାକୋଟ ବ୍ଲକରେ ଅଜଣା ଜନ୍ତୁ ଆତଙ୍କ, ୩୫ ଛେଳି ମୃତ

ଧରାକୋଟ,୧୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଉଗାଁ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଅଜଣା ଜନ୍ତୁ ଆକ୍ରମଣରେ ଗ୍ରାମର ଗଙ୍ଗା ଗୌଡ଼ ଓ ଅଶୋକ ଗୌଡ଼ଙ୍କ ୩୫ ଛେଳିଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନାନୁଯାୟୀ, ଦୁଇ ଭାଇ ଗଙ୍ଗା ଓ ଅଶୋକ ଗ୍ରାମ ଉପକଣ୍ଠ ପାହାଡ଼ ପାର୍ଶ୍ୱସ୍ଥିତ ଗୁଡ଼ିଖାତ ନିକଟରେ ଗୁହାଳ କରି ଛେଳି ରଖି ଆସୁଥିଲେ। ସବୁଦିନ ଭଳି ଶୁକ୍ରବାର ଛେଳି ଚରାଇ ସେମାନେ ଗୁହାଳରେ ଛେଳି ରଖି ଘରକୁ ଫେରିଥିଲେ। ହେଲେ ସନ୍ଧ୍ୟାରେ ଛେଳିମାନଙ୍କ ଚିତ୍କାର ଶୁଣି ଉଭୟ ଭାଇ ଗୁହାଳକୁ ଯାଇଥିଲେ। ସେଠାରେ ସେମାନେ ଛେଳିମାନେ ଖଣ୍ଡିଆ ଖାବରା ହୋଇ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଛେଳିମାନଙ୍କ ବେକ, ପେଟ, ପିଠିରେ ଗଭୀର କ୍ଷତ ହେବା ସହ କେତେକଙ୍କ ଅନ୍ତବୁଜୁଳି ବାହାରି ପଡ଼ିଥିଲା। ଏ ନେଇ ଧରାକୋଟ ସହକାରୀ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦିଆଯାଇଥିଲା। ସେ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ କରିଥିଲେ। ଶନିବାର ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ବନମାଳୀ ସାହୁ, ତଉଗାଁ ରାଜସ୍ବ ନୀରୀକ୍ଷକ ଶ୍ରୀକାନ୍ତ ରଥ, ଭିଏଏସ୍‌ ମାନସ ରଞ୍ଜନ ପୋଲାଇ ପ୍ରମୁଖ ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି। ରାଜସ୍ବ ବିଭାଗ ସହାୟତାରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି। ସେହିଭଳି ରିକୋର୍ଟ ପାଇବା ପରେ ପ୍ରଶାସନ ତରଫରୁ କ୍ଷୟକ୍ଷତି ମିଳିବ ବୋଲି ତହସିଲଦାର ଗଦାଧର ପାତ୍ର କହିଛନ୍ତି। ତେବେ ଛେଳିମାନଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ଦୁଇଭାଇ ଗରୀବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Share