ଧରାପଡ଼ିଲା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗ

କଟକ ଅଫିସ,୫ା୬: ଏକ ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ। ରାଜ୍ୟର ବିଭିନ୍ନ ଜିଲାରେ ଏହି ଗ୍ୟାଙ୍ଗ ଅନେକ ଅପରାଧିକ କାର୍ଯ୍ୟକଳାପ ଘଟାଇଥିବା ପୋଲିସ ରେକର୍ଡରେ ରହିଛି। ଗତ ମେ ୨୭ ସକାଳେ ଏମାନେ ମାତ୍ର ୪ ଘଣ୍ଟାରେ ୩ଟି ଛିନତାଇ କରିଥିଲେ। ଘଟଣାର ଖୋଳତାଡ଼ କରିବା ପରେ ପୋଲିସ ଉକ୍ତ ଗ୍ୟାଙ୍ଗକୁ ଧରିଥିବା ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ଗତ ୨୭ ତାରିଖରେ ସହରର ଭିନ୍ନ ଭିନ୍ନ ସ୍ଥାନରେ ଛିନ୍‌ତାଇ କରିଛନ୍ତି। ପୂର୍ବାହ୍ନ ୬ଟାରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ପ୍ରାତଃଭ୍ରମଣରେ ଯାଉଥିବା ପ୍ରମିଳା ସାହୁଙ୍କଠାରୁ ସେମାନେ ସୁନା ଚେନ ଛଡ଼ାଇ ନେଇଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ବାଲିକୁଦା ଛକ ନିକଟରୁ ଜଣେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଓ ସକାଳ ପ୍ରାୟ ୧୦ଟା ସମୟରେ ଓଏମ୍‌ପି ଛକ ନିକଟରୁ ଅଞ୍ଜଳି ପାତ୍ରଙ୍କ ବେକରୁ ସୁନା ଚେନ ଛଡ଼ାଇ ନେଇଥିଲେ। ଏହି ଘଟଣାରେ ସୁରେଶ ଗଜେନ୍ଦ୍ର ଓରଫ ବାଲା ଓ ବିଜେନ୍ଦ୍ର ଜୈସୱାଲ ଓରଫ ବାବୁ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ଏମାନଙ୍କୁ ସନ୍ଦୀପ ଖୁଣ୍ଟିଆ ଓରଫ ନନ୍ଦ ଓ ଅଭି ସାହୁ ସହଯୋଗ କରୁଥିଲେ। ବାଲା, ବାବୁ ଓ ନନ୍ଦଙ୍କ ଘର କଟକ ସହରରେ ହୋଇଥିବା ବେଳେ ଅଭିଙ୍କ ଘର ଖୋର୍ଦ୍ଧା ଜିଲା। ଏମାନଙ୍କ ନିକଟରୁ ୨ଟି ସୁନାଚେନ, ଗୋଟିଏ ମଙ୍ଗଳସୂତ୍ର, ଲୁଟରେ ବ୍ୟବହୃତ ବାଇକ (ଓଡ଼ି-୦୫-ଏସି- ୨୦୯୧) ଓ ସ୍କୁଟି (ଓଡ଼ି-୦୫-ଏପି-୯୮୧୩), ୭ଟି ମୋବାଇଲ ଜବତ କରାଯାଇଛି। ବାଲାଙ୍କ ନାମରେ ବାଲୁଗାଁ ଥାନରେ ୧୨, ବାଣପୁର ଥାନରେ ୪, ନିରାକାରପୁର ଥାନାରେ ୪ ଏବଂ ଟାଙ୍ଗୀ, ଖଲ୍ଲିକୋଟ, ସତ୍ୟବାଦୀ, କଟକ ସଦର, ଚାଉଳିଆଗଞ୍ଜ, ଖଣ୍ଡଗିରି ଥାନାରେ ଏକାଧିକ ମାମଲା ରହିଛି। ବାବୁଙ୍କ ନାମରେ ସହରର ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି। ଗିରଫ କରାଯିବା ପରେ ଆଇପିସି ଧାରା ୩୯୨, ୪୧୩, ୩୪ ଅନୁଯାୟୀ ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share