ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ ୩୯ ମୋବାଇଲ, ୩ ବାଇକ୍‌ ଜବତ କରାଯାଇଥିବା ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏସ୍‌ପି ଉମେଶ ପଣ୍ଡା ଓ ଥାନାଧିକାରୀ ଶୁଭ୍ରାଂଶୁ ନାୟକ ସୂଚନା ଦେଇଛନ୍ତି।

ସହରରେ ଦିନକୁ ଦିନ ବଢ଼ି ଚାଲିଥିବା ମୋବାଇଲ୍‌ ଚୋରି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଗତ ୧୨ ତାରିଖ ଅପରାହ୍ନ ସମୟରେ ବାଲିଆସ୍ଥିତ ରାଜକମ୍ପ୍ଲେକ୍ସ ସମ୍ମୁଖରୁ କେତେକ ଦୁର୍ବୃତ୍ତ ସହଦେବଖୁଣ୍ଟା ଗ୍ରାମର ସାଗର ଅଗ୍ରୱାଲ (୩୪)ଙ୍କ ମୋବାଇଲ୍‌ ଲୁଟ୍‌ କରି ବାଇକ୍‌ ଯୋଗେ ପଳାଇଯାଇଥିବା ସହଦେବଖୁଣ୍ଟା ମଡ଼େଲ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ୧୪ତାରିଖରେ ମାମଲା ରୁଜୁ କରି ଥାନାଧିକାରୀ ନାୟକ ତଦନ୍ତ ଆରମ୍ଭ କରିଥିଲେ। ସହରର ପୁରୁଣାବାଲେଶ୍ୱର, ଗୁଡ଼ିପଦା, ଚୁନଭାଟି, ଗୋପାଳଗାଁ ଅଞ୍ଚଳରେ ଚଢ଼ାଉ କରି ୬ଜଣ ମୋବାଇଲ ଚୋରଙ୍କ ସମେତ କଂଗ୍ରେସଗଳି, ଦରଜୀପୋଖରୀ, ମୋତିଗଞ୍ଜ ଅଞ୍ଚଳରେ ଥିବା ୩ଜଣ ମୋବାଇଲ ବିକ୍ରି ଓ ରିପ୍ୟାରିଂ ଦୋକାନୀଙ୍କୁ ଗିରଫ କରିଥିଲେ। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୧୮୮/୧୯) ରୁଜୁ କରାଯାଇଥିଲା। ଏହି ମାମଲାରେ ୩ଜଣ ଗୋପାଳଗାଁ ଅଞ୍ଚଳର ଶରତ ମାଝି, ଗଜେନ୍ଦ୍ର ଦାସ, ସହଦେବଖୁଣ୍ଟା ଥାନା ଗୁଡ଼ିପଦା ଗ୍ରାମର ଅଜିତ ସିଂହଙ୍କୁ ଗିରଫ କରାଯାଇଥିଲା। ସେହିପରି ମାମଲା ମାମଲା (ନଂ. ୧୯୦/୧୯)କୁ ଭିତ୍ତି କରି ଗୋପାଳଗାଁ ଚୁନଭାଟି ଅଞ୍ଚଳର ଅଶୋକ କମିଳା, କେଶବ କମିଳା, ଗଳାପୋଲ ଅଞ୍ଚଳର ମାବୁଦ ମଲ୍ଲିକ, ସୁନ୍ଦରି ଅଞ୍ଚଳର ଶିବଜୀ ଚୌଧୁରୀ, ସୁନହଟ୍‌ ଅଞ୍ଚଳର ଏସ୍‌କେ ଇର୍ସାଦ୍‌, ଅନ୍ନପୂର୍ଣ୍ଣା ଗଳି ଅଞ୍ଚଳର ଏସ୍‌କେ ରମଜାନ (୧୮)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସହର ଭିତରେ ଲୋକେ ମୋବାଇଲରେ କଥା ହେଉଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ହାତରୁ ଛଡ଼ାଇନେଇ ଦ୍ରୁତଗତିରେ ପଳାଇ ଯାଉଛନ୍ତି। ବାଇକ୍‌ର କମ୍ପାନୀ, ରଙ୍ଗ ଓ ନମ୍ବରକୁ ନୋଟ୍‌ କରିବା ପାଇଁ ସହଦେବଖୁଣ୍ଟା ଥାନାଧିକାରୀ ନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଫଳରେ ଚୋରମାନଙ୍କୁ ସହଜରେ ଠାବ କରାଯିବା ସହ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରିବ ବୋଲି ସେ କହିଛନ୍ତି।