ଧରାପଡିଲେ ୨୮ ବଙ୍ଗୀୟ ଶ୍ରମିକ

ଚମ୍ପୁଆ, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ସହିତ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବା ସହ ସୀମାନ୍ତଗୁଡିକୁ ସିଲ୍‌ କରି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗତ ୨୯ତାରିଖରେ ତାମିଲନାଡୁରୁ ଝାଡଖଣ୍ଡ ଯାଉଥିବା ୪୨ଜଣ ଶ୍ରମିକଙ୍କୁ କ୍ୱାରାଣ୍ଟାଇନ ହୋମରେ ରଖାଯାଇଥିଲା। ରବିବାର ପୂର୍ବାହ୍ନ ୧୦ଟା ବେଳେ କେନ୍ଦୁଝର ଆଡୁ ପଶ୍ଚିମବଙ୍ଗ ଯାଉଥିବା ୨୮ ଶ୍ରମିକଙ୍କୁ ଚମ୍ପୁଆଠାରେ ଅଟକ ରଖାଯାଇଛି। ଏହି ଶ୍ରମିକମାନେ କେନ୍ଦୁଝରଠାରେ କାମ କରୁଥିଲେ। ଲକ୍‌ଡାଉନ ହେତୁ କାମ ବନ୍ଦ ରହିଥିବା ଓ ଖାଦ୍ୟାଭାବ ଦେଖାଦେବାରୁ ସେମାନେ ଚାଲି ଚାଲି ନିଜ ରାଜ୍ୟକୁ ଫେରିଯାଉଥିଲେ। ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଆଲୋକ କୁମାର ପଟେଲ ଓ ଏସ୍‌ଡିଆଇପିଆର ଓ ଜୟନ୍ତ କୁମାର ନାଏକ ସେମାନଙ୍କୁ ଅଟକ ରଖି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏସ୍‌ଡିଏମ୍‌ଓ ଉମାକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଇଥିବା ଜଣାଯାଇଛି। ଏମାନଙ୍କୁ ରାମାଲାସ୍ଥିତ କ୍ୱାରାଣ୍ଟାଇନ ହୋମ(ଅନ୍ନେଷା ଛାତ୍ରବାସ)ଠାରେ ରଖାଯିବା ସହିତ ପ୍ରତିଦିନ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।