Categories: ଜାତୀୟ

ଧରା ପଡ଼ିଲା ଟ୍ରମ୍ପ୍‌ଙ୍କ ମିଛ

ନୂଆଦିଲ୍ଲୀ, ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଟ୍ରମ୍ପ୍‌ ୨ ଦିନରେ କହିଥିବା ୨ଟି ବଡ଼ ମିଛ ଧରାପଡ଼ିଛି। ପ୍ରଥମେ ଫେବୃୟାରୀ ୧୫ରେ ଟ୍ରମ୍ପ୍‌ କହିଥିଲେ ଫେସବୁକ୍‌ରେ ସେ ପ୍ରଥମ ସ୍ଥାନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରକୃତରେ ମୋଦି ପ୍ରଥମ ସ୍ଥାନରେ ଥିବାବେଳେ ଟ୍ରମ୍ପ୍‌ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଫେସବୁକ୍‌ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୪ କୋଟି ୪୩ ଲକ୍ଷ ଥିବାବେଳେ ଟ୍ରମ୍ପ୍‌ଙ୍କର ୨କୋଟି ୭୫ ଲକ୍ଷ ଫଲୋଅର୍ସ ରହିଛନ୍ତି। ସେହିପରି ଫେବୃୟାରୀ ୧୬ରେ ଟ୍ରମ୍ପ୍‌ କହିଥିଲେ ଯେ, ଭାରତ ଗସ୍ତ ସମୟରେ ତାଙ୍କୁ ୭୦ ଲକ୍ଷ ଲୋକ ସ୍ବାଗତ କରିବେ। ମାତ୍ର ଅହମଦାବାଦ୍‌ ନଗର ନିଗମ କମିଶନର ବିଜୟ ନେହେରାଙ୍କ ଅନୁସାରେ ଟ୍ରମ୍ପ୍‌ଙ୍କ ୨୨ କିମି ରୋଡ୍‌ ଶୋରେ ପ୍ରାୟ ଏକ ଲକ୍ଷ ଲୋକ ରହିବେ। ଫଳରେ ଟ୍ରମ୍ପ୍‌ ମିଛ କହିଥିବା ଧରାପଡ଼ିଛି। ସୂଚନାଯୋଗ୍ୟ, ଅହମଦାବାଦ୍‌ ସହରର ଜନସଂଖ୍ୟା ୭୦ରୁ୮୦ ଲକ୍ଷ ମଧ୍ୟରେ। ଏତେ ସଂଖ୍ୟକ ଲୋକ ରୋଡ୍‌ ଶୋରେ ସାମିଲ ହେଲେ ସ୍ଥିତିକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ ବୋଲି କୁହାଯାଉଛି।

Share