ଧରା ପଡିଲା ପିଡିଏସ୍‌ ସାମଗ୍ରୀ କଳା ବଜାର

ରାଉରକେଲା ଅଫିସ,୧ା୪: ଲକ୍‌ ଡାଉନ ଭଳି ଦୁର୍ଦ୍ଦିନ ସମୟରେ ସରକାର ଖାଉଟିଙ୍କୁ ୩ ମାସର ଆଗୁଆ ଖାଉଟି ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଏହାକୁ କେତେକ ଅସାଧୁ ବ୍ୟବସାୟୀ କଳା ବଜାର କରିବା ନଜରକୁ ଆସିଛି। ବୁଧବାର ଇସ୍ପାତ ମାର୍କେଟର ଏକ ତେଜରାତି ଦୋକାନ ଓ ଅଟାଚକିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ୨୦ ବସ୍ତା ଚାଉଳ ଓ ୪ବସ୍ତା ଗହମ ଏକ ଡାଲା ଆଟୋରେ ଆଣାଯାଇ ମହଜୁଦ ରଖାଯାଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ସଦେହ ହେବାରୁ ଏନେଇ ସେମାନେ ଜିଲା ଯୋଗାଣ ବିଭାଗ ସମେତ ସ୍ଥାନୀୟ ଥାନାକୁ ଖବର କରିଥିଲେ। ପୋଲିସ ଓ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଜବତ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣା ଯାଇଛି ଯେ, ଏହି ସାମଗ୍ରୀ ସେକ୍ଟର-୫ଠାରେ ଥିବା ଏକ କଣ୍ଟ୍ରୋଲ ଦୋକାନରୁ ଏଠାକୁ କଳା ବଜାର ପାଇଁ ଅଣାଯାଇଥିଲା। ପୋଲିସ ଓ ଯୋଗାଣ ବିଭାଗ ଏନେଇ ଅଧିକ ତଦନ୍ତ ଜାରି ରଖିଛି।