ଧରିତ୍ରୀ ଆଳାପ: ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି

ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବି। ସେହିପରି ଡାକ୍ତରୀପିଲାଙ୍କ ପାଠପଢା କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବ। ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନାଗୁଡିକୁ ଅଧିକ କ୍ରିୟାଶୀଳ କରିବା ସହିତ ଏହାର କାର୍ଯ୍ୟାନ୍ବୟନ ଦିଗରେ ସମସ୍ତ ପ୍ରଚେଷ୍ଟା କରାଯିବ। ଡାଇରେକ୍ଟର ଅଫ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି) ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ଡା. ସି.ବି.କେ. ମହାନ୍ତିଙ୍କ ସହିତ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର।

ଆପଣଙ୍କ ପାଇଁ କ’ଣ ସବୁ ଚ୍ୟାଲେଞ୍ଜ ରହିଛି?
ପ୍ରତ୍ୟେକ କ୍ଷେତ୍ରରେ ଚ୍ୟାଲେଞ୍ଜ ରହିଛି। ତେବେ ପରିସ୍ଥିତିକୁ ଅନୁଶୀଳନ କରି ତା’ର ସମାଧାନ କରାଯିବ। ପ୍ରଥମତଃ ବର୍ଗୀକରଣ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ। ଯାହାସବୁ ସମସ୍ୟା ଆସିବ ତା’ର ସରଳ ସମାଧାନ ଦିଗରେ ଧ୍ୟାନ ଦିଆଯିବ।
୫-ଟିକୁ ନେଇ କିଛି ସମସ୍ୟା ଅଛି କି?
୫-ଟି ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଯେପରି ଅଧିକ କ୍ରିୟାଶୀଳ ହେବ ସେଥିପାଇଁ ଚେଷ୍ଟା କରିବି। ଯାହା ଦରକାର ତାହା ନିଶ୍ଚିତ କରାଯିବ। ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି।
ସ୍ବାସ୍ଥ୍ୟ ବିଭାଗରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ପୂରଣ ପାଇଁ କ’ଣ କରିବେ?
ମାନବ ସମ୍ବଳ ବିକାଶ ସହିତ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ସଦାସର୍ବଦା ଚେଷ୍ଟା ଜାରି ରଖିଛନ୍ତି। ଏକାସାଙ୍ଗରେ ସବୁର ସମାଧାନ ହୋଇପାରିବନାହିଁ। କ୍ରମାନ୍ବୟରେ ଏହାର ସମାଧାନ କରାଯିବ।
ଡିଏମ୍‌ଇଟି ହେବା ପରେ ଆଉ ରୋଗୀ ଦେଖିବେ?
ମୋର ପ୍ରଥମ ପରିଚୟ ହେଉଛି ମୁଁ ଜଣେ ଡାକ୍ତର। ରୋଗୀ ସେବା ମୋ ଜୀବନର ଧର୍ମ ନୁହେଁ, ବ୍ରତ। ଯେକୌଣସି ପଦବୀ ମିଳୁ ନା କାହିଁକି ସମୟ ମିଳିବା ମାତ୍ରେ ରୋଗୀସେବା ଜାରି ରଖିବି।
ଏସ୍‌ସିବି ମେଡିକାଲ ପାଇଁ କିଛି ଲକ୍ଷ୍ୟ ରହିଛି କି?
ମୋ ପାଇଁ ସବୁ ମେଡିକାଲ କଲେଜ ସମାନ। ଯେଉଁ ମେଡିକାଲ କଲେଜରେ ଯାହା ଆବଶ୍ୟକତା ରହିଛି ତାକୁ ପୂରଣ କରିବା ପାଇଁ ମୋ ଉଦ୍ୟମ ଅବ୍ୟାହତ ରହିବ। ତେବେ ଏସ୍‌ସିବି ମେଡିକାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଁ ନିଶ୍ଚିତ ଭାବେ ଗୁରୁତ୍ୱ ଦେବି।
– ସାକ୍ଷାତ୍‌: ନିର୍ମଳ ପଣ୍ଡା, କଟକ

Share