Advertisement

ଧରିତ୍ରୀ ଖବରଦାତାଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ, ୧୨ା୧-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଧରିତ୍ରୀ ଖବରଦାତାଙ୍କୁ ମିଳିଛି ହତ୍ୟା ଧମକ। କୌଣସି ଅପରାଧ ଶ୍ରେଣୀର ଲୋକ ନୁହନ୍ତି, ଖଜୁରିପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀ ନାୟକ ଏବଂ ଶିକ୍ଷକ ସ୍ବାମୀ ବିନୋଦ କୁମାର ନାୟକ ଏହି ଧମକ ଦେଇଛନ୍ତି। ଏନେଇ ଖବରଦାତା ବୈଦ୍ୟନାଥ ବେହେରା ଶୁକ୍ରବାର ରାତିରେ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଏକ ମାମଲା (ନଂ.୧୦/୨୦) ରୁଜୁକରି ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ନରେଶ କୁମାର ସାହୁ କହିଛନ୍ତି।
ପ୍ରକାଶ ଯେ, ଖଜୁରିପଡ଼ା ବ୍ଲକ ଦୂତିମେଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଂଘ ସଭାପତି ଅଛନ୍ତି ବୈଦ୍ୟନାଥ। ବିଦ୍ୟାଳୟରେ ପାଠପଢ଼ା ନ ହେବା, ପିଲାଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆ ନ ଯିବା, ପ୍ରିନ୍ସିପାଲଙ୍କ ମନମୁଖି କାର୍ଯ୍ୟ ନେଇ ଅଭିଭାବକମାନେ ଜିଲାପାଳଙ୍କୁ ଅବଗତ କରିଥିଲେ। ଏହାପରେ ସମସ୍ତେ ଭୁବନେଶ୍ୱର ଯାଇ ବିଭାଗ ନିର୍ଦ୍ଦେଶକଙ୍କୁ ଏ ସଂକ୍ରାନ୍ତରେ ଦାବିପତ୍ର ଦେଇଥିଲେ। ନିକଟରେ ଭାରପ୍ରାପ୍ତ ପ୍ରିନ୍ସିପାଲ ବନଶ୍ରୀଙ୍କର ଅନ୍ୟତ୍ର ବଦଳି ହୋଇଛି। ଏହା ଜାଣିବା ପରେ ଗୁରୁବାର ରାତିରେ ବନଶ୍ରୀ ଏବଂ ତାଙ୍କ ସ୍ବାମୀ ବିନୋଦ ଜିରିଙ୍ଗିପଡା ପାଖ ଗୋପାଳସାହିରେ ରହୁଥିବା ବୈଦ୍ୟନାଥଙ୍କ ଘରେ ପହଞ୍ଚତ୍ ଗାଳିଗୁଲଜ କରିଥିଲେ। ତୁମ ପାଇଁ ମୋର ବଦଳି ହେଲା, ତୁମକୁ ଛାଡିବୁନି, ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ସାହି ଲୋକେ ବାହାରିବାରୁ ସେମାନେ ଚାଲି ଆସିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ବୈଦ୍ୟନାଥ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ବନଶ୍ରୀଙ୍କୁ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ହେଁ ସୁଇଚ୍‌ଅପ୍‌ ଥିବାରୁ ମତାମତ ନେବା ସମ୍ଭବ ହୋଇପାରିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share