ଧରିତ୍ରୀ ଛୁଟିଦିନରେ ପ୍ରକାଶିତ ଫଟୋ ଓ ଖବରକୁ ନେଇ ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଖୋର୍ଦ୍ଧା ଅଫିସ,୧୫ା୭: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ସୋରଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ଆୟୋଜିତ ହୋଇଥିଲା ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଏଥିରେ ଗଛର କାହାଣୀ ସ୍ଥାନ ପାଇଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ଧରିତ୍ରୀ ଛୁଟିଦିନରେ ପ୍ରକାଶିତ ବିଭିନ୍ନ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଫଟୋ ଓ ଖବର ଉପରେ ଉତ୍ତର ରଖିଥିଲେ। ପିଲାଙ୍କ ଉତ୍ତରରେ ଶୁଣିବାକୁ ମିଳିଥିଲା କେଉଁଠି ଠେଙ୍ଗା ଜଙ୍ଗଲ ଜଗୁଛି ତ ଆଉ କେଉଁଠି ବ୍ୟକ୍ତିଗତ ଭାବେ ଜଙ୍ଗଲ ସୃଷ୍ଟି କରାଯାଇଛି । ସେହିଭଳି କିଏ ଫୁଲଗଛରୁ ଜୀବିକା ଅର୍ଜନ କରି କୋଟିପତି ହୋଇଛି ତ ଆଉ କିଏ ଗଛ ଲଗାଇ ତା’ର ଲାଳନପାଳନ କରି ନିଜର ଜୀବନକୁ ଉତ୍ସର୍ଗ କରି ଦେଇଛି। କେଉଁଠି ମହିଳାଙ୍କ ଦ୍ୱାରା ଜଙ୍ଗଲ ସୁରକ୍ଷା ହୋଇଛି ତ ଆଉ କେଉଁଠାରେ ଗ୍ରାମବାସୀ ଜଙ୍ଗଲର ପୁନରୁଦ୍ଧାର କରି ପ୍ରେରଣାର ଉତ୍ସ ପାଲଟିଛନ୍ତି। ପୁଣି ସ୍କୁଲର ଛାତ୍ରୀଛାତ୍ର ଶିକ୍ଷକଙ୍କ ସହ ମିଶି ନୂଆ ଜଙ୍ଗଲ ସୃଷ୍ଟି କରିଛନ୍ତି। ପୁଣି ବରଗଛ, ଅଶ୍ୱତ୍ଥଗଛର ମହାନତା ମଧ୍ୟ ଶୁଣିବାକୁ ମିଳିଥିଲା। ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ ଯୋଗୀନାଥ ବେହେରା, ସିଆରସିସି ସୂର୍ଯ୍ୟକାନ୍ତ ସେଠୀ, ଶିକ୍ଷକ ଅଶୋକ ମାନସିଂହ ପ୍ରମୁଖ ଯୋଗ ଦେଇ ଗଛର ଉପକାରିତା ବିଷୟରେ କହିଥିଲେ। ସୋରଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କରଞ୍ଜ, ଆମ୍ବ, ଅଁଳା, ଅଶୋକ, ଜାମୁକୋଳି, ବଉଳ ଆଦି ୭୫ ଟି ଚାରା ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ରୋପଣ କରିଥିଲେ।

Share