ଧରିତ୍ରୀ ଦେଖାଇ ଆଇନଶୃଙ୍ଖଳା, ସ୍ବାସ୍ଥ୍ୟ ସେବା କଥା ଉଠାଇଲେ ନରସିଂହ; କଟକ ହତ୍ୟାକାଣ୍ଡକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୫।୭(ବ୍ୟୁରୋ)- ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଦିନ ଦି ପହରରେ ନାବାଳିକାଙ୍କୁ ବଳାତ୍କାର କରାଯାଉଛି। ପ୍ରଶ୍ନ ପଚାରିଲେ ଉତ୍ତର ମିଳୁ ନାହିଁ। ସବୁ ଠିକ ଅଛି ବୋଲି ସରକାର କହୁଛନ୍ତି। ଆଇନଶୃଙ୍ଖଳାକୁ ନେଇ ଆମେ ବିରୋଧ କରିଥିଲୁ। ଗୋଟିଏ ଦିନ ଆଲୋଚନା ପରେ ସବୁ ଠିକ ହୋଇଗଲା। ଯେଉଁ ଦିନ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେଲେ ସେହିଦିନଠାରୁ ମାଓବାଦୀମାନେ ହତ୍ୟା କରି ଚାଲିଛନ୍ତି ବୋଲି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଧରିତ୍ରୀ ଖବର କାଗଜକୁ ଦେଖାଇ ସେ କହିଥିଲେ ଯେ ଆଜି ଧରିତ୍ରୀରେ ପ୍ରକାଶ ପାଇଛି କଟକରେ ଚାଞ୍ଚଲ୍ୟ ୨୪ ଘଣ୍ଟାରେ ୩ ଜଣଙ୍କୁ ଗଳାକାଟି ହତ୍ୟା । ଗୋଟିଏ ଦିନରେ ୩ ଜଣଙ୍କୁ ହତ୍ୟା କରାଯାଉଛି। ଆଇନ ଶୃଙ୍ଖଳା ଠିକ ଅଛି। କ’ଣ ଠିକ ଅଛି ବୋଲି ନରସିଂହ ସରକାରଙ୍କୁ ପ୍ରଶ୍ନ କରିଥିଲେ। କେବଳ ଆଇନଶୃଙ୍ଖଳା ନୁହେଁ, ସ୍ବାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ। ଏହି ଖବରକାଗଜରେ ପ୍ରକାଶ ପାଇଛି ଯେ ଜଣେ ୧୦ ବର୍ଷର ବାଳିକା ଅଙ୍ଗାର ବାନ୍ତି କରୁଛି। ଡାକ୍ତର ପାଖରେ ଅଛନ୍ତି। ସରକାର କହୁଛନ୍ତି ସ୍ବାସ୍ଥ୍ୟସେବା ଠିକ ଅଛି। କ’ଣ ଠିକ ଅଛି ବୋଲି ନରସିଂହ କହିଥିଲେ।

Share