ଧରିତ୍ରୀ ପ୍ରଭାବ: ଅଭିଯୁକ୍ତଙ୍କ ସହ ପୋଲିସର ସେଲ୍ଫି ନେବା ଆଇଆଇସିଙ୍କୁ ପଡିଲା ମହଙ୍ଗା

ପୁରୀ ଅଫିସ,୧୫।୧୦: ଦିଲୀପ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ମୁନା ଓରଫ ରାଧାମୋହନ ବିଶ୍ୱାଳଙ୍କ ସହ ଚନ୍ଦ୍ରଭାଗା ମେରାଇନ ଥାନାଧିକାରୀ ବୁଲୁ ମୁଣ୍ଡା ସେଲ୍ପି ନେବା ତାଙ୍କୁ ମହଙ୍ଗା ପଡିଛି। ଏନେଇ ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଏସପି ଉମାଶଙ୍କର ଦାଶ ତାଙ୍କୁ ଚନ୍ଦ୍ରଭାଗା ମେରାଇନ ଥାନାରୁ ଜିଲା ମୁଖ୍ୟାଳୟ(ଡିପିଓ)କୁ ସ୍ଥାନାନ୍ତରିତ କରିଛନ୍ତି। ବୁଲୁ ମୁଣ୍ଡା ପୂର୍ବରୁ ଚନ୍ଦ୍ରଭାଗା ସହିତ ରାମଚଣ୍ଡୀ ଥାନା ଦାୟିତ୍ୱରେ ରହିଥିଲେ। କୋଣାର୍କ ଥାନାଧିକାରୀ ଶିବ କୁମାର ପ୍ରଧାନଙ୍କୁ ଚନ୍ଦ୍ରଭାଗା ଏବଂ ଡିପିଓରେ ଆଇୟୁସିଏଡବ୍ଳ୍ୟୁ ସେଲର ଆଇଆଇସି ସୁଜିତ କୁମାର ଦାଶଙ୍କୁ ରାମଚଣ୍ଡୀ ଥାନା ଦାୟିତ୍ୱ ଦିଆଯାଇଥିବା ନେଇ ଏସପି ଦାଶ କହିଛନ୍ତି। ଏନେଇ ସେ କହିଥିଲେ ଯେ, କୌଣସି ଅପରାଧୀଙ୍କ ସହିତ ପୋଲିସ ସେଲ୍ଫି ନେବା ଆଇନ ବିରୋଧୀ କାର୍ଯ୍ୟ, ଏହା ଗ୍ରହଣୀୟ ନୁହଁ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ହେଡକ୍ୱାର୍ଟରକୁ ରିପୋର୍ଟ କରିଛି। ଏହି ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା।

Share