ଧରିତ୍ରୀ ପ୍ରଭାବ: ଫନୀ ପ୍ରଭାବିତ ଅଞ୍ଚଳରେ ଘରଭଙ୍ଗା ସର୍ଭେ, ବିପନ୍ନଙ୍କ ଭଙ୍ଗାଘରର ଜିଓ ଟ୍ୟାଗ୍‌ ବାଧ୍ୟତାମୂଳକ

କଟକ ସଦର,୧୭।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ ପ୍ରଭାବରେ ଗୃହଶୂନ୍ୟ ବ୍ୟକ୍ତିମାନଙ୍କୁ ପକ୍କାଘର ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିବା ପରେ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କର ତତ୍ପରତା ବୃଦ୍ଧି ପାଇଥିଲା। ଏ ସମ୍ପର୍କରେ ୧୬।୫।୧୯ରେ ଧରିତ୍ରୀର ଭୁବନେଶ୍ୱର ସଂସ୍କରଣର ଫନୀ ତାଣ୍ଡବ ପୃଷ୍ଠାରେ ‘ଘର ଭଙ୍ଗା ସର୍ଭେ ବେଳେ ଜିଓ ଟ୍ୟାଗ୍‌ ପାଇଁ ଦାବି’ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଥିଲା। ଏହା ପରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପତ୍ର ସଂଖ୍ୟା(୮୪୮୨।୧୬।୫।୨୦୧୯)ରେ ଏକ ନିର୍ଦ୍ଦେଶନାମା ଜାରି କରି ଜିଓ ଟ୍ୟାଗ୍‌କୁ ବାଧ୍ୟତାମୂଳକ କରିଛନ୍ତି। ଏହି କାର୍ଯ୍ୟ ଗୋଟିଏ ସପ୍ତାହ ମଧ୍ୟରେ କରି ‘ଆମ ଘର’ ମୋବାଇଲ ଆପ୍‌ରେ ଛାଡ଼ିବା ଲାଗି କୁହାଯାଇଛି। ଲାଞ୍ଚ କାରବାରରେ ସମ୍ପୃକ୍ତ ଥିଲେ ସେହି ଜିଓ ଟ୍ୟାଗ୍‌ କରିଥିବା ଅଧିକାରୀଙ୍କୁ ଉତ୍ତରଦାୟୀ କରିବାର ବ୍ୟବସ୍ଥା ରହିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା, ମୋ କୁଡ଼ିଆ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପାଇଥିବା ହିତାଧିକାରୀମାନେ ଗୁହାଳ, ଜାଳେଣୀ କାଠ ରଖାଯାଇଥିବା ଘର, ଭଣ୍ଡାର ଘର ଆଦି ଦେଖାଇ ନୂଆ ପକ୍କାଘର ପାଇବା ଲାଗି ଉଦ୍ୟମ ଜାରି ରଖିଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେତିଛି।

Share