‘ଧରିତ୍ରୀ’ ପ୍ରଭାବ: ବାୟୋମେଟ୍ରିକ୍‌ ମେଶିନ୍‌ରେ ଠକେଇ କରି ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ଘଟଣାର ତଦନ୍ତ ଆରମ୍ଭ

ଯୋଡ଼ା,୨୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାଲାଗୋଡ଼ା ପଞ୍ଚାୟତରେ ବାୟୋମେଟ୍ରିକ ମେଶିନରେ ଟିପ ଚିହ୍ନ ଠକେଇ କରି ‘ପିଡିଏସ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ ହିତାଧିକାରୀ’ ଶୀର୍ଷକ ଧରିତ୍ରୀରେ ଗତ ତା ୨୦.୧୧.୧୯ରେ ଏକ ଖବର ପ୍ରକାଶ ପାଇଥିଲା। ଏହା ପରେ ଯୋଡ଼ା ବ୍ଲକ ପକ୍ଷରୁ ତପତ୍ରତା ପ୍ରକାଶ ପାଇ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ପଦକ୍ଷେପ ନିଆଯାଇଛି। ଯୋଡ଼ା ବ୍ଲକ ବିଡିଓ ଯୋଗେନ୍ଦ୍ର ନାଏକ ଧରିତ୍ରୀରେ ପ୍ରକାଶିତ ଖବରକୁ ଆଧାର କରି ସଂପୃକ୍ତ ବାଲାଗୋଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚିଠି କରିବା ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶାନୁଯାୟୀ, ବାଲାଗୋଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ସାହୁଙ୍କୁ ଏହାର ସତ୍ୟାସତ୍ୟ ଉପରେ ସ୍ପଷ୍ଟୀକରଣ ଦେବାକୁ ଯୋଗାଣ ବିଭାଗ ପକ୍ଷରୁ ଚିଠି କରାଯାଇଛି ।ଏ ସମ୍ପର୍କରେ ଯୋଡ଼ା ବିଡିଓ ଯୋଗେନ୍ଦ୍ର ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଉକ୍ତ ଅଭିଯୋଗ ଅନୁଯାୟୀ ଏହାର ତଦନ୍ତ କରାଯିବ। ଯଦି ଅଭିଯୋଗଗୁଡିକ ସତ୍ୟ ପ୍ରମାଣିତ ହୁଏ, ତେବେ ସଂପୃକ୍ତ ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।