ଧରିତ୍ରୀ ପ୍ରଭାବ: ବିନାନୁମତିରେ ଖୋଲାଥିବା ଦୋକାନ ବନ୍ଦ ହେଲା

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଲକ୍‌ଡାଉନ ଜାରି ରହିଥିବାବେଳେ ମାର୍କେଟ, କମ୍ପ୍ଲେସ ଓ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଥିଲା। ହେଲେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ବ୍ୟବସାୟୀମାନେ ରବିବାର ଦୋକାନ ଖୋଲିଥିଲେ। ଏ ନେଇ ଧରିତ୍ରୀରେ ‘ମାର୍କେଟ ବିଲ୍ଡିଂରେ ଚାଲିଲା ବେପାର’ ଶୀର୍ଷକ ଖବର ପ୍ରକାଶିତ ହେବା ପରେ ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମାର୍କେଟ ବିଲ୍ଡିଂରେ ଖୋଲାଥିବା ସମସ୍ତ ଦୋକାନ ବନ୍ଦ କରିବା ସହ ବିନା ଅନୁମତିରେ ଦୋକାନ ଖୋଲିଥିବାରୁ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରିଛି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ ସ୍କ୍ବାଡ୍‌ ପକ୍ଷରୁ ଏହା କରାଯାଇଥିବା ବିଏମ୍‌ସି ମାର୍କେଟ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ବିଏମ୍‌ସିର ଏହି କାର୍ଯ୍ୟ ପାଇଁ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ମାର୍କେଟରେ ଦୋକାନ କରିଥିବା ଜଣେ ବ୍ୟବସାୟୀ କହିଛନ୍ତି, ୨ ମାସ ହେବ ଦୋକାନ ବନ୍ଦ ରହିଲାଣି। ପୁଣି ସୋମବାରରୁ ମେ ୩୧ ଯାଏ କଟକଣା ଲାଗୁ ହୋଇଛି। ରୋଜଗାରର ବାଟ ବନ୍ଦ ହୋଇପଡ଼ିଥିବାବେଳେ ଘର ଚଳେଇବା କାଠିକର ପାଠ ହୋଇପଡିଛି। ତେଣୁ ଏଥର ଦୋକାନ ଖୋଲି ବେପାର କରିବୁ। ବିଏମ୍‌ସି ବନ୍ଦ କଲେ ଆମେ ବିରୋଧ କରିବୁ ବୋଲି କହିଛନ୍ତି। ଅନ୍ୟପଟେ ରାଜଧାନୀରେ କରୋନାମୁକ୍ତ ହୋଇଥିବାବେଳେ ଏବେ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିବା ଆବଶ୍ୟକ। ଯଦି ବିଏମ୍‌ସି ଦୋକାନ ବନ୍ଦ କରିବାକୁ ଚେଷ୍ଟା କରେ ତା’ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।

Share