ଧରିତ୍ରୀ ପ୍ରଭାବ : ଲକ୍ଷ୍ମୀଙ୍କୁ ମିଳିଲା ଚିକିତ୍ସା ଲାଗି ଆର୍ଥିକ ସହାୟତା

ହାଟଡିହୀ, ୬।୬(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମର ରାଧେଶ୍ୟାମ ବେହେରାଙ୍କ ପରିବାର। ତାଙ୍କର ୫ ବର୍ଷର ଝିଅ ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାବେଳେ ଅର୍ଥ ଅଭାବରୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରୁନଥିଲା। ଲକ୍ଷ୍ମୀର ଅଖିଡୋଳା ଫୁଲି ବାହାରିବା ସହିତ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। ଯାହାକୁ ନେଇ ଗରିବ ବାପା ମାଆ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ଅବସ୍ଥାରେ ଦିନ କାଟି ଆସୁଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଜୟ ଜଗନ୍ନାଥ ସେବା ଅନୁଷ୍ଠାନର ସଦସ୍ୟ ଉମାକାନ୍ତ ରାଉତ ଓ ଅନିତା ରାଉତ ରାଧେଶ୍ୟାମଙ୍କୁ ଭେଟିଥିଲେ। ପରେ ଝିଅ ଲକ୍ଷ୍ମୀଙ୍କ ଅଖି ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଏହାବ୍ୟତୀତ ଅନୁଷ୍ଠାନ ପକ୍ଷରୁ ଟ୍ବିଟର ଜରିଆରେ କେନ୍ଦୁଝର ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲା। ଜିଲା ପ୍ରଶାସନ ହାଟଡିହୀ ବିଡିଓ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଶିଶୁ ଲକ୍ଷ୍ମୀଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଅପରପକ୍ଷେ ଯୁବ ଇଞ୍ଜିନିୟର୍‌ ଚନ୍ଦ୍ରମୌଳୀ ମହାନ୍ତି , ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ, ବିପିନି କୁଅଁର, ଉମାକାନ୍ତ ରାଉତ, ପର୍ଶୁରାମ ପଲେଇ,ଶ୍ୟାମସୁନ୍ଦର ରାଉତ, କୁମାର ସୋନୁ, ଡିପି ଶେଷରଞ୍ଜନ ପ୍ରମୁଖ ”ସର୍ଭ ଫର ପିପୁଲ“ର ସଦସ୍ୟମାନେ ଶିଶୁଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି।