‘ଧରିତ୍ରୀ’ ପ୍ରଭାବ: ଶୁଚିସ୍ମିତାଙ୍କୁ ମିଳିଲା ସରକାରୀ ସହାୟତା

ସିମୁଳିଆ, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ କଳାଶୁଣୀ ଅଞ୍ଚଳର ଊର୍ମିଳା ଓ ନରହରି ପଣ୍ଡାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ଶୁୁଚିସ୍ମିତାଙ୍କୁ ସରକାରୀ ଓ ବେସରକାରୀ ସହାୟତା ମିଳିଛି। ଗତ ୩ମାସ ପୂର୍ବେ ତାଙ୍କ ପିଠିରେ ବାହାରିଥିବା ଟ୍ୟୁମର ଅସ୍ତ୍ରୋପଚାର ସହିତ ମଳଦ୍ୱାରରେ ମଧ୍ୟ ଅସ୍ତ୍ରୋପଚାର କରାଯାଇ ପରିସ୍ରା ଦ୍ୱାରରେ ପାଇପ ଲଗାଯାଇଛି । ସରକାରୀ ଗାଡ଼ି ଆସି ତାଙ୍କୁ ଗାଁରୁ ନେବା ଆଣିବା କରିବା ସହିତ ମାଗଣା ଔଷଧ ମଧ୍ୟ ମିଳୁଛି । ବର୍ତ୍ତମାନ ତାଙ୍କ ଚିକିସତ୍ା ଚାଲୁ ରହିଛି। ଆସନ୍ତା ମାସ ତାଙ୍କ ଗୋଡରେ ଅସ୍ତ୍ରୋପଚାର କରାଯିବ। ‘ଧରିତ୍ରୀ’ରେ ଶୁଚିସ୍ମିତାଙ୍କ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଏହି ସହାୟତା ଯୋଗାଇ ଦିଆଯାଉଛି। ଏଥିପାଇଁ ‘ଧରିତ୍ରୀ’କୁ ତାଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିଛନ୍ତି ।

କଳାଶୁଣୀ ଅଞ୍ଚଳର ଶିଶୁକନ୍ୟା ଶୁୁଚିସ୍ମିତା ଜନ୍ମରୁ ବିଭିନ୍ନ ରୋଗରେ ଆକ୍ରାନ୍ତ। ଜନ୍ମ ପରେ ତାଙ୍କ ପିଠିରେ ଏକ ଆବୁ (ଟ୍ୟୁମର) କ୍ରମଶଃ ବଢି ଚାଲିଥିଲା। ଏଥିରୁ ଲସା ପରି ତରଳ ପଦାର୍ଥ ବୋହି ଚାଲିବା ଯୋଗୁ ପିମ୍ପୁଡି ଲାଗୁଥିଲେ । ଫଳରେ ସେ ଅହରହ କାନ୍ଦୁଥିଲେ। ଆବୁ ପାଇଁ ଲଗାତର ଏକପାଖିଆ ହୋଇ ଶୋଇବା ଯୋଗୁ ତାଙ୍କ ମୁଣ୍ଡର ଆକୃତି ମଧ୍ୟ ଲମ୍ବା ହେଉଥିଲା। ସେହିପରି ତାର ଗୋଡ ଦୁଇଟି ଅଚଳ ହୋଇପଡ଼ିବା ସହିତ ମଳତ୍ୟାଗ ଓ ପରିସ୍ରାରେ ମଧ୍ୟ ସମସ୍ୟା ଥିବା ତାଙ୍କ ମା’ ଊର୍ମିଳା ସୂଚନା ଦେଇଥିଲେ। ତେବେ ଅଭାବୀ ପରିବାରରେ ତାଙ୍କ ଚିକିତ୍ସା କରାଇବା ସମ୍ଭବପର ନ ଥିଲା । ରାଣୀତାଲ ମେଡ଼ିକାଲକୁ ଚିକିତ୍ସା ପାଇଁ ଝିଅକୁ ନେଇ ଊର୍ମିଳା ଆସିଥିବା ବେଳେ ତାଙ୍କ ସମସ୍ୟା ସମ୍ପର୍କରେ ଜଣାପଡିଥିଲା । ଗତ ୩୧ା୧୦ା୧୮ରେ ‘ଧରିତ୍ରୀ’ରେ ଏ ସମ୍ପର୍କରେ ‘ସହାୟତା ଅପେକ୍ଷାରେ ଶିଶୁକନ୍ୟା ଶୁଚିସ୍ମିତା’ ଶୀର୍ଷକରେ ଖବର ପ୍ରକାଶ ପରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁପଦ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଚଗୁଲୁ ସିଂ ପ୍ରମୁଖ ତାଙ୍କ ପରିବାର ନିକଟରେ ପହଞ୍ଚିଥିଲେ । ପରେ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ବିଜୟ କୁମାର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାଷ୍ଟ୍ରୀୟ ବଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ) ଯୋଜନାରେ ତାଙ୍କୁ କଟକ ନିଆଯାଇ ମାଗଣାରେ ସମସ୍ତ ସେବା ଯୋଗାଇ ଦିଆଯାଇଛି।

Share