‘ଧରିତ୍ରୀ’ ପ୍ରଭାବ: ଷ୍ଟାଣ୍ଡ୍‌କୁ ଫେରିଲା ‘ମୋ ସାଇକେଲ’

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଟବଣା ହୋଇଯାଇଥିବା ମୋ ସାଇକେଲ୍‌ ଯୋଜନାକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଲୋକଙ୍କ ଅକ୍ତିଆରରେ ଥିବା ‘ମୋ ସାଇକେଲ’କୁ ପୁଣିଥରେ ଷ୍ଟାଣ୍ଡ୍‌କୁ ଫେରାଇ ଆଣିବାକୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ(ସିଆର୍‌ୟୁଟି) ପଦକ୍ଷେପ ନେଇଛି। ମୋ ସାଇକେଲଗୁଡ଼ିକର ରକ୍ଷଣାବେକ୍ଷଣ ଓ ପରିଚାଳନା ଠିକ୍‌ ଭାବେ ହେଉ ନ ଥିଲା। ଫଳରେ ଲୋକେ ମୋ ସାଇକେଲକୁ ନିଜ ଘରକୁ ନେଇଯାଇଥିଲେ। ‘ଲୋକଙ୍କ ଅକ୍ତିଆରରେ ମୋ ସାଇକେଲ’ ଶୀର୍ଷକ ଖବର ମଙ୍ଗଳବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଥିବା ମୋ ସାଇକେଲ୍‌ ଷ୍ଟାଣ୍ଡ୍‌ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରାଯାଇ ଲୋକଙ୍କ ଘରୁ ସାଇକେଲ୍‌ ଉଦ୍ଧାର କରାଯାଇଛି।
ପଳାସୁଣୀଠାରୁ ବଡ଼ଗଡ଼ ପର୍ଯ୍ୟନ୍ତ କେନାଲ ରୋଡ୍‌ ପର୍ଯ୍ୟନ୍ତ ଅଞ୍ଚଳ ଏବଂ ଝାରପଡ଼ା, ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ୱର କଲୋନୀ, ବିଜେବି ନଗର ଅଞ୍ଚଳରେ ମଙ୍ଗଳବାର ସିଆର୍‌ୟୁଟି ଟିମ୍‌ ଚଢ଼ାଉ କରି ବହୁ ସାଇକେଲ୍‌ ଉଦ୍ଧାର କରିଛନ୍ତି। ଲୋକଙ୍କ ଘର ଏବଂ ଆଖପାଖରେ ଖୋଜାଖୋଜି କରି ଯେତିକି ସାଇକେଲ ମିଳିଲା ତାହାକୁ ପୁଣିଥରେ ମୁଖ୍ୟ ଷ୍ଟାଣ୍ଡ୍‌ରେ ରଖାଯାଇଛି। ଏହାସହ ମରାମତି ଆବଶ୍ୟକ କରୁଥିବା ସାଇକେଲଗୁଡ଼ିକୁ ମୋ ସାଇକେଲ ଡିପୋକୁ ପଠାଇ ଦିଆଯାଇଛି ବୋଲି ସିଆର୍‌ୟୁଟିର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଜାରି ରହିବ। ଯେଉଁଠି ମୋ ସାଇକେଲ ଲୋକଙ୍କ ଅକ୍ତିଆରରେ ଅଛି, ତାହାକୁ ଉଦ୍ଧାର କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏବେ ବି ସହରର ଅନ୍ୟାନ୍ୟ ଅଞ୍ଚଳରେ ଏକାଧିକ ‘ମୋ ସାଇକେଲ’ ଲୋକଙ୍କ କବ୍‌ଜାରେ ରହିଛି। ଏପରିକି କେତେଜଣ ଏହାକୁ ଘର ମଧ୍ୟରେ ଲୁଚାଇ ରଖିଥିବାରୁ ତାହାକୁ ଖୋଜି ବାହାର କରିବା ବା ଘରେ ପଶି ତାହାକୁ ଉଦ୍ଧାର କରିବା ପାଇଁ କର୍ତ୍ତୃପକ୍ଷ ସାହସ ଜୁଟାଇ ପାରୁନାହାନ୍ତି।
ସୂଚନାଯୋଗ୍ୟ, ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ‘ମୋ ସାଇକେଲ ସେବା’ ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। କିଛି ରାସ୍ତା କଡ଼ରେ ପଡ଼ିରହୁଥିବାବେଳେ ଆଉ କେହି ତାକୁ ନିଜ ଘରେ ଲୁଚାଇ ରଖୁଛନ୍ତି। ସାଇକେଲ ନ ଥିବାରୁ ଅଧିକାଂଶ ଷ୍ଟାଣ୍ଡ୍‌ ଏବେ ଫାଙ୍କା ପଡ଼ିଛି। ପୁଣି କେଉଁଠି ସାଇକେଲ ଚଲାଇ ସାରିବା ପରେ ଲୋକେ ଯେଉଁଠି ଇଚ୍ଛା ସେଠି ପକାଇ ଚାଲିଯାଉଛନ୍ତି।