ଧରିତ୍ରୀ ପ୍ରଭାବ; ୟୁନିଟ-୪ ହାଟ : ହଟିଲା ମାଛ, ପରିବା ଦୋକାନ

ଭୁବନେଶ୍ୱର, ୧ା୪ (ବ୍ୟୁରୋ) : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ ଉଠାଇ ଦିଆଯାଇଛି। ଏହି ମର୍ମରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୟୁନିଟ-୪ ହାଟରେ ଥିବା ମାଛ, ପରିବା ଦୋକାନଗୁଡ଼ିକୁ ମଙ୍ଗଳବାର ହଟାଇ ଦିଆଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୋକାନୀଗୁଡ଼ିକୁ ପଟେଲ ମାର୍ଗରେ ଥଇଥାନ କରାଯିବ ବୋଲି ଦକ୍ଷିଣ-ପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ପ୍ରକାଶ କରିଛନ୍ତି। ଏଥିପାଇଁ ଜାଗା ଚିହ୍ନଟ ହୋଇସାରିଥିବାବେଳେ ବାମପାର୍ଶ୍ୱରେ ପରିବା ଦୋକାନ ରହିବାକୁ ଥିବାବେଳେ ଡାହାଣ ପାର୍ଶ୍ୱରେ ମାଂସ ଦୋକାନ ରହିବାକୁ ନିର୍ଦ୍ଦେଶ ହୋଇଛି। ମାଂସ ଦୋକାନଗୁଡ଼ିକୁ ବ୍ୟବଧାନ କରିବାକୁ ଯାଇ ୧୦ଫୁଟର ଦୂରତାରେ ରଖାଯିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନଗୁଡ଼ିକ ଆଗରେ ଗୋଲେଇ ଚିହ୍ନ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରବିବାର ୟୁନିଟ୍‌-୪ ମାର୍କେଟ ଭଳି ସହରର ବହୁ ମାଛ ଓ ମାଂସ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଗହଳି ଜମାଇଥିଲେ ମଧ୍ୟ କରୋନା କଟକଣାକୁ ସତେ ଯେପରି କାହାର ଖାତିର ନ ଥିଲା। ଏ ନେଇ ସୋମବାର ଧରିତ୍ରୀରେ ‘ଆମିଷ ଦୋକାନରେ ଭିଡ଼, ମାନିଲେନି କଟକଣା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏ ନେଇ ଜୋନାଲ ଡେପୁଟି କମିଶନର ରଥ ଘଟଣାର ଅନୁଧ୍ୟାନ କରିବା ପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ସହ ଆଲୋଚନା କରିବା ପରେ ମଙ୍ଗଳବାର ହାଟର ସମସ୍ତ ଦୋକାନୀଙ୍କୁ ହଟାଇ ଦିଆଯାଇଥିଲା। ଏହାସହ ବିଏମ୍‌ସି ପକ୍ଷରୁ କରାଯାଇଥିବା ନିୟମକୁ ଉଲ୍ଲଂଘନ କଲେ ଉକ୍ତ ଦୋକାନୀମାନଙ୍କୀ ଟ୍ରେଡ ଲାଇସେନ୍ସ ରଦ୍ଦ କରାଯିବ। ଯେଉଁ ଦୋକାନୀର ଲାଇସେନ୍ସ ନ ଥିବ ସେମାନଙ୍କ ପ୍ରତି ବୃହତ ଧରଣର ଜରିମାନା କରାଯିବ ବୋଲି ଜୋନାଲ ଡେପୁଟି କମିଶନର ରଥ ପ୍ରକାଶ କରିଛନ୍ତି।

Share