Categories: ବାଣିଜ୍ୟ

ଧର୍ମଘଟରେ ବ୍ରିଟିଶ୍‌ ଏୟାରଓ୍ବେଜ ପାଇଲଟ;୧୫୦୦ ଉଡ଼ାଣ ରଦ୍ଦ, ୭୦୪ କୋଟି କ୍ଷତି

ନୂଆଦିଲ୍ଲୀ,୧୦-୯: ବ୍ରିଟେନର ବିମାନ କମ୍ପାନୀ ବ୍ରିଟିଶ୍‌ ଏୟାରଓ୍ବେଜର ପାଇଲଟ ସୋମବାର ଓ ମଙ୍ଗଳବାର ଧର୍ମଘଟରେ ସାମିଲ ହୋଇଛନ୍ତି। ଏୟାରଲାଇନର ୧୦୦ବର୍ଷର ଇତିହାସରେ ଏହା ସର୍ବବୃହତ ଧର୍ମଘଟ ମନେ କରାଯାଉଛି। ଏହି କାରଣରୁ କମ୍ପାନୀର ପ୍ରାୟ ୧୫୦୦ ଉଡ଼ାଣ ରଦ୍ଦ ହୋଇସାରିଛି। ବେତନ ବିବାବକୁ କେନ୍ଦ୍ର କରି ପାଇଲଟ ମାନେ ଦୁଇଦିନିଆ ଧର୍ମଘଟରେ ସାମିଲ ହୋଇଛନ୍ତି। ସ୍ଥାନୀୟ ଖବର କାଗଜ ‘ଦ ଟେଲିଗ୍ରାଫ୍‌’ର ରିପୋର୍ଟ ଅନୁସାରେ ପାଇଲଟଙ୍କ ଧର୍ମଘଟ ଯୋଗୁ ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହେବେ ଓ କମ୍ପାନୀ ପ୍ରାୟ ୭୦୪ କୋଟି ଟଙ୍କା ଅର୍ଥାତ୍‌ ୮୦ ମିଲିୟନ ପାଉଣ୍ଡ କ୍ଷତି ସହିବାକୁ ଯାଉଛି। ଧର୍ମଘଟ ଯୋଗୁ ନ୍ୟୁୟର୍କ, ଦିଲ୍ଲୀ, ହଂକଂ ଓ ଜୋହାନ୍ସବର୍ଗର ସମସ୍ତ ଉଡ଼ାଣ ପ୍ରଭାବିତ ହୋଇଛି। ଉଡ଼ାଣ ରଦ୍ଦ ହୋଇଥିବାର ସୂଚନା ପାଇଥିଲେ ଯାତ୍ରୀମାନେ ଏୟାରପୋର୍ଟ ନ ଯିବାକୁ ବ୍ରିଟିଶ ଏୟାରଓ୍ବେଜ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ବ୍ରିଟିଶ ଏୟାରଲାଇନ ପାଇଲଟ ଆସୋସିଏଶନ ଅଗଷ୍ଟ ୨୩ରେ ଧର୍ମଘଟ ଡାକରା ଦେଇଥିଲା। କମ୍ପାନୀ ପକ୍ଷରୁ ବେତନ ଓ ଭତ୍ତା ହ୍ରାସକୁ ନେଇ ପାଇଲଟଙ୍କ ସହ ବିବାଦ ସୃଷ୍ଟି ହୋଇଛି।

Share