ଆନନ୍ଦପୁର,୨୦।୩(ସ୍ବ.ପ୍ର.): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଚାଲିଛି। ଏଭଳିସ୍ଥଳେ ଏହାକୁ ରୋକିବା ଲାଗି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଜନସାଧାରଣଙ୍କୁ ପୁନର୍ବାର ସଚେତନତାର ବାର୍ତ୍ତା ଦେଇଛନ୍ତି ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ। ଶୁକ୍ରବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନକୁ ସର୍ବସାଧାରଣ ଲୋକଙ୍କ ପାଇଁ ବାରଣ କରାଯାଇଛି। ପୂଜା କାର୍ଯ୍ୟ ଯଥାରୀତି ଚାଲିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଲୋକମାନେ ଧର୍ମାନୁଷ୍ଠାନକୁ ଯିବାକୁ ନିଷେଧ କରାଯାଇଛି। ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। କରୋନାର ଭୟାବହାତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଉପଜିଲାପାଳ ସାହୁ ସୂଚନା ଦେଇଛନ୍ତି।