Categories: ଜାତୀୟ

‘ଧର୍ମ ଆଧାରରେ ବିଭାଜନକୁ ଗ୍ରହଣ କରି ନ ଥିଲେ ଗାନ୍ଧିଜୀ’

ନୂଆଦିଲ୍ଲୀ,୧୦ା୨(ଆଇଏଏନ୍‌ଏସ୍‌): ଗାନ୍ଧିଜୀ ତାଙ୍କ ସାଧାରଣ ଜୀବନରେ ପ୍ରତି ମୁହୂର୍ତ୍ତରେ ଭାରତର ଏକତା ପାଇଁ ସଂଗ୍ରାମ କରୁଥିଲେ। ଧର୍ମ ଆଧାରରେ ଭାରତ ବିଭାଜିତ ହେଉ ବୋଲି ସେ କେବେ ଗ୍ରହଣ କରି ନ ଥିଲେ ବୋଲି ରବିବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମତବ୍ୟକ୍ତ କରିଛନ୍ତି।
ସାମ୍ବାଦିକ ଏମ୍‌.ଜେ. ଆକବରଙ୍କ ‘ଗାନ୍ଧୀ ହିନ୍ଦୁଇଜମ୍‌: ଦି ଷ୍ଟ୍ରଗଲ୍‌ ଏଗେନ୍‌ଷ୍ଟ ଜିନ୍ନାସ୍‌ ଇସ୍‌ଲାମ୍‌’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଣବ କହିଛନ୍ତି, ଗାନ୍ଧିଜୀଙ୍କ ସମ୍ପୂର୍ଣ୍ଣ ଜୀବନ ହିନ୍ଦୁ-ମୁସ୍‌ଲିମ୍‌ ଏକତା ପ୍ରତି ଉତ୍ସର୍ଗୀକୃତ ଥିଲା। ସେ କେବଳ ଭାରତର ଜନକ ନୁହନ୍ତି, ଆମ ରାଷ୍ଟ୍ରର ନିର୍ମାତା ମଧ୍ୟ। ସାମ୍ପ୍ରଦାୟିକ ଏକତା ଓ ସହାବସ୍ଥାନ ଭାରତର ଶକ୍ତିର ଆଧାରଶୀଳା ଓ ଉଜ୍ଜ୍ୱଳମୟ ଭବିଷ୍ୟତର ଚାବିକାଠି ବୋଲି ଗାନ୍ଧିଜୀ ହୃଦୟଙ୍ଗମ କରିଥିଲେ। ଭାରତ ସମସ୍ତ ଆସ୍ଥାର ଜନ୍ମଭୂଇଁ ହୋଇଥିବାରୁ ଏଠାରେ କୌଣସି ଧର୍ମ ପ୍ରତି ବିପଦ ନାହିଁ ବୋଲି ସେ ଘୋଷଣା କରିଥିଲେ। ଆକବରଙ୍କ ପୁସ୍ତକରେ ଏସବୁର ଅବତାରଣା କରାଯାଇଥିବା ପ୍ରଣବ କହିଛନ୍ତି।

Share