ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦିଅନ୍ତି ଜାଭେଦ ଅଖତର

ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତକାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ ସ୍ମରଣୀୟ ଗୀତିକାର ଭାବରେ ସେ ନିଜର ପରିଚିତିକୁ ବେଶ ସୁଦୃଢ଼ କରିସାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୪୫ ମସିହା ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜାଭେଦ ଅଖତରଙ୍କ ଜନ୍ମ। ବାପା ଜନାବ ନିସାର ଅଖତର ଏବଂ ମା’ ସାଫିଆ ଅଖତର। ନିସାର ଅଖତର ଉର୍ଦ୍ଦୁ ତଥା ହିନ୍ଦୀ ଭାଷାର ଜଣେ ପ୍ରତିଷ୍ଠିତ କବି ଥିଲେ। ଏହାବ୍ୟତୀତ ସେ ବହୁ ଫିଲ୍ମରେ ଗୀତ ମଧ୍ୟ ରଚନା କରିଥିଲେ। ମା’ ସାଫିଆ ଅଖତର ଥିଲେ ଜଣେ ସୁଗାୟିକା, ଲେଖିକା ତଥା ଶିକ୍ଷୟିତ୍ରୀ। ଲକ୍ଷ୍ନୌରେ ତାଙ୍କର ପିଲାବେଳ ବିତିଥିଲା ଓ ସେ ସେଇଠି ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ। ଭୋପାଳର ସାଇଫିୟା କଲେଜରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ଜାଭେଦ ଅଖତର ଧର୍ମତଃ ଜଣେ ମୁସଲିମ। ମାତ୍ର ସେ ଏକଦା କହିଥିଲେ ଯେ, ସେ ସବୁବେଳେ ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦେଇଥାନ୍ତି। ଆଉ ତାଙ୍କର ଦୁଇ ସନ୍ତାନଙ୍କୁ ସେ ସେହି ସଂସ୍କାର ସହିତ ପ୍ରତିପାଳିତ କରିଆଣିଛନ୍ତି। ଜାଭେଦଙ୍କର ପ୍ରଥମ ବିବାହ ହୋଇଥିଲା ହନୀ ଇରାନୀଙ୍କ ସହିତ। ହନୀ ଓ ଜାଭେଦଙ୍କ ଦୁଇ ସନ୍ତାନ ଫରହାନ ଅଖତର ଓ ଜୋୟା ଅଖତର। ଉଭୟ ବଲିଉଡ୍‌ରେ ସକ୍ରିୟ ଅଛନ୍ତି। ହନୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ବିବାହ କରିଥିଲେ।
ଏକ ଲଡକି କୋ ଦେଖା ତୋ ଐସା ଲଗା, ଏକ ଦୋ ତିନ, ସନ୍ଦେଶେ ଆତି ହୈ, ଜିନ୍ଦେଗୀ ନା ମିଲେ ଦୁବାରା, କଭି ଅଲବିଦା ନା କେହନା ଆଦି ଗୀତକୁ ତାଙ୍କର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ବୋଲି କୁହାଯାଇପାରେ। ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ସମ୍ମାନିତ ଜାଭେଦଙ୍କୁ ତାଙ୍କର ସାହିତ୍ୟ ସାଧନା ପାଇଁ ମିଳିଛି ସମ୍ମାନଜନକ ସାହିତ୍ୟ ଏକାଡେମୀ ଆଓ୍ବାର୍ଡ। ଏତଦବ୍ୟତୀତ ସେ ପାଞ୍ଚଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

Share