ବାରଙ୍ଗ,୧୩।୧୦(ଡି.ଏନ.ଏ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷକ ଧଳାବାଘ ଶୁଭ୍ରାଂଶୁ ଦ୍ୱିତୀୟଥର ପାଇଁ ଅସୁସ୍ଥ ହୋଇଛି। ୫ବର୍ଷର ଏହି ବାଘ ଶନିବାର ଗୋଟିଏ ସ୍ଥାନରେ ପଡ଼ିରହିବା ସହ କୌଣସି ଖାଦ୍ୟ ଗ୍ରହଣ କରି ନ ଥିଲା। ଯାହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ଫଳରେ ଚିକିତ୍ସକମାନେ ଆସି ଶୁଭ୍ରାଂଶୁକୁ ବାଘସଫାରୀର ଫିଡିଂଚାମ୍ବରରେ ରଖି ଚିକିସ୍ା ଆରମ୍ଭ କରିଥିଲେ। ଗତ କିଛିଦିନ ହେବ ଶୁଭ୍ରାଂଶୁ ରୁଗ୍ଣ ହେବା ସହ ଦୁର୍ବଳ ହୋଇଆସୁଥିଲା। ସେପ୍ଟେମ୍ବର୨୨ରେ ପ୍ରଥମେ ସେ ଅସୁସ୍ଥ ହେବାସହ ଲିଭରଜନିତ ସମସ୍ୟା ଯୋଗୁ ତରଳ ଝାଡାରେ ଆକ୍ରାନ୍ତ ହୋଇଥିଲା। ଏହାପରଠାରୁ ତା’ର ଚିକିତ୍ସା ଜାରି ରହିଥିଲେ ମଧ୍ୟ ଶନିବାର ହଠାତ ଦୁର୍ବଳ ହୋଇଯାଇଥିଲା। ୨୦୧୪ ଜୁଲାଇ୨୫ରେ ସାଧାରଣ ବାଘ ମନୀଷ ଓ ଧଳାବାଘୁଣୀ ସ୍ନେହା ଔରସରୁ ଶୁଭ୍ରାଂଶୁ ଜନ୍ମଗ୍ରହଣ କରିଥିଲା। ଏବେ ନନ୍ଦନକାନନରେ ୨୬ଟି ବାଘ ରହିଛନ୍ତି ।