Categories: ମେଟ୍ରୋ

ଧଳାବାଘ ସମ୍ରାଟ ହାଡ଼ଜନିତ ରୋଗରେ ଆକ୍ରାନ୍ତ

ବାରଙ୍ଗ,୩୦ା୬(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ଧଳାମହାବଳ ବାଘ ସମ୍ରାଟକୁ ଏବେ ଆଉ ଦର୍ଶକ ଦେଖିପାରିବେ ନାହିଁ। ଅସୁସ୍ଥ ଥିବା କାରଣରୁ ତାକୁ କିଛିଦିନ ପାଇଁ ବିଶ୍ରାମ ଦିଆଯିବ। ଏନକ୍ଲୋଜରର ପଛପଟ ବ୍ୟାକକ୍ରଲରେ ତାକୁ ରଖାଯିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟରେ ତା’ର ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଗୁରୁବାର ଡାକ୍ତରଖାନାରେ ସମ୍ରାଟର ହୋଇଥିବା ଏକ୍ସରେ ରିପୋର୍ଟ ଶନିବାର ଓୟୁଏଟିରୁ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

ଗତ ୩ ମାସ ହେବ ସମ୍ରାଟ ଛୋଟେଇ ଛୋଟେଇ ଚାଲୁଥିବାବେଳେ ତା’ର ଚିକିତ୍ସା ସତ୍ତ୍ୱେ ସ୍ବାସ୍ଥ୍ୟରେ ଉନ୍ନତି ହୋଇ ନ ଥିଲା। ଗୁରୁବାର ଓୟୁଏଟି ସର୍ଜରୀ ବିଭାଗର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ୫ଜଣିଆ ଦଳ ସମ୍ରାଟର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ରକ୍ତନମୁନା ସଂଗ୍ରହ କରିବାସହ ବାମପଛପଟର ୧୨ଟି ସ୍ଥାନରେ ଏକ୍ସରେ କରିଥିଲେ। ଏହି ଏକ୍ସରେ ରିପୋର୍ଟ ଶନିବାର ଓୟୁଏଟି ତରଫରୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଦେଖିବା ପରେ ସମ୍ରାଟ ଅଷ୍ଟିଓପୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛି। ଏହା ହାଡ଼ଜନିତ ରୋଗ ଅଟେ। ସଂକ୍ରମଣ ନ ହେଲେ ମଧ୍ୟ ପୂର୍ବଜଙ୍କଠାରେ ଏପରି ରୋଗଥିଲେ ତାହା ପିଲାଙ୍କଠାରେ ଦେଖାଯିବା ସମ୍ଭାବନା ରହିଥାଏ। ଏନକ୍ଲୋଜର ପଛ ବ୍ୟାକକ୍ରଲରେ ସମ୍ରାଟକୁ ରଖିବା ସହ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତା’ର ଚିକିତ୍ସା କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।

Share