ଧସୁଛି ନଦୀବନ୍ଧ ପଥର ପ୍ୟାକିଂ

ଧାମନଗର, ୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ପଙ୍ଗଟା ସେଠୀସାହି ନିକଟ ଦାଣ୍ଡିମାହାରାଠାରେ ବୈତରଣୀର ଶାଖା କୋଚିଳା ନଦୀବନ୍ଧ ପାର୍ଶ୍ୱରେ ହୋଇଥିବା ପଥର ପ୍ୟାକିଂ କ୍ରମାଗତ ଭାବେ ଧସିଚାଲିଛି। ଏନେଇ ନଦୀର ଗତିପଥ ବଦଳିବା ଆଶଙ୍କାରେ ଗ୍ରାମବାସୀ ଦିନ ବିତାଉଛନ୍ତି। ନିମ୍ନମାନର ନିର୍ମାଣ କାଯର୍‌ୟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।
ପଥର ପ୍ୟାକିଂ ଧସୁଥିବା ସ୍ଥାନର ଅନତି ଦୂର କୋଚିଳା ନଦୀର ପଙ୍ଗଟା ଗ୍ରାମ ନିକଟରେ ଏକ ଟର୍ନିଂ ପଏଣ୍ଟ ରହିଛି । ନଦୀଟି ଦକ୍ଷିଣରୁ ଉତ୍ତର ଦିଗ ହୋଇ ଏହି ସ୍ଥାନରେ ପୁଣି ପୂର୍ବ ଦିଗକୁ ମୋଡ ନେଇଛି। ବର୍ଷାଦିନେ ବନ୍ୟାଜଳ ମାଡରେ ଏହିଠାରେ ଏକ ବିରାଟ ଗଣ୍ଡ ସୃଷ୍ଟି ହୋଇଛି । ବନ୍ୟା ପରିସ୍ଥିତି ଉପୁଜିଲେ ସବୁବେଳେ ଗଣ୍ଡକୂଳରେ ଥିବା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରିଆସୁଛି । ୨୦୧୭ରେ ଏଠାରେ ନଦୀବନ୍ଧ ଦବି ଯିବାରୁ ୨୦୧୮ରେ ଜଳସେଚନ ବିଭାଗ ତରଫରୁ ପଥର ପ୍ୟାକିଂ କାର୍ଯ୍ୟ କରାଯାଇଥିଲା । ଚଳିତ ବର୍ଷ ବନ୍ୟା ଛାଡିବା ପରଠାରୁ ଉକ୍ତ ସ୍ଥାନରେ ପଥର ପ୍ୟାକିଂ ନଦୀ ଗର୍ଭକୁ ଖସିପଡୁଥିବା ଜଣାପଡିଛି । ଏହାର ପ୍ରତିକାର କରା ନ ଗଲେ ନଦୀତଟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରି ସେଠୀସାହି ନଦୀଗର୍ଭରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି କରିଛି। ଗ୍ରାମର ସିପିଆଇଏମର ବ୍ଲକ କୃଷକସଭା ଉପସଭାପତି ଯୁଧିଷ୍ଠିର ମହାପାତ୍ର କହିଛନ୍ତି ଯେ, ଗତଥର ଯେଉଁ କାର୍ଯ୍ୟ ହୋଇଥିଲା ତାହାର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ନିମ୍ନମାନର ହେବା ଦେଖି ସେତେବେଳେ ନଦୀ ଶଯ୍ୟାରେ ବେସ୍‌ ତିଆରି ପାଇଁ ଲୋକେ ଦାବି କରିଥଲେ। ଏନେଇ ବିଭାଗ ସହିତ ଜିଲା ପ୍ରଶାନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଲୋକଙ୍କ ଦାବି ପ୍ରତି ଧ୍ୟାନ ନ ଦେଇ କାମ କରାଯିବାରୁ ନଦୀବନ୍ଧର ଅବସ୍ଥା ଏବେ ଶୋଚନୀୟ ହେବାରେ ଲାଗିଛି। ଜନବସତି ନିକଟରେ ଥିବା ଏହି ନଦୀ ବନ୍ଧରେ କଂକ୍ରିଟ ଓାଲ୍‌ କରାଯାଇ ତା’ ଉପରେ ପଥର ପ୍ୟାକିଂ କରାଗଲେ ଏହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ଦାବି କରୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଦାସଙ୍କୁୁ ପଚାରିବାରୁ କହିଛନ୍ତି, ନଦୀର ଟର୍ନିଂ ପଏଣ୍ଟରେ ସବୁବେଳେ ବିପଦ ରହିଥାଏ । ସେ ଏନେଇ ବିଭାଗକୁ ଅବଗତ କରାଇବା ସହିତ କାର୍ଯ୍ୟର ଏଷ୍ଟିମେଟ ମଧ୍ୟ ଦେଇଛନ୍ତି। ଅନୁମୋଦନ ମିଳିଲେ ଯାହାକିଛି ପଦକ୍ଷେପ ନିଆଯିବ। ତେବେ କୋଚିଳା ନଦୀ ବନ୍ଧରେ ସମ୍ପୂର୍ଣ୍ଣ କଂକ୍ରିଟ ଓ୍ବାଲ୍‌ ତିଆରି ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟ ପଙ୍ଗଟା ଗ୍ରାମର କେଦାର ନାଥ ମହାପାତ୍ର ଓ ପ୍ରଫୁଲ୍ଲ ଦାସ ପ୍ରମୁଖ ଦାବି କରିଛନ୍ତି ।