Categories: ଖେଳ

ଧାଓ୍ବନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା

ନୂଆଦିଲ୍ଲୀ,୨୧।୬(ପି.ଟି.)- ତାରକା ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଇଞ୍ଜୁରି କାରଣରୁ ଭାରତୀୟ ବିଶ୍ୱକପ୍‌ ଦଳରୁ ବାଦ ପଡିଛନ୍ତି। ଫଳରେ ଭାରତର ବିଶ୍ୱକପ୍‌ ଅଭିଯାନକୁ ଜବରଦସ୍ତ ଝଟ୍‌କା ଲାଗିଛି। ଧାଓ୍ବନ ମଧ୍ୟ ଏଥିରେ ନିରାଶ ହୋଇଛନ୍ତି। ଏଥିପାଇଁ ତାଙ୍କୁ ସବୁଆଡୁ ସମବେଦନାର ସୁଅ ଛୁଟିଛି। ଏଥିରେ ଏବେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଧାଓ୍ବନଙ୍କୁ ସାନ୍ତ୍ୱନା ଦେଇ ଉଲ୍ଲେଖ କରିଛନ୍ତି ଯେ, ‘ପିଚ୍‌ ତୁମକୁ ମିସ୍‌ କରିବ ଓ ଏଥିରେ କୌଣସି ସନ୍ଦେହ ନାହିଁ’। ଗତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଅବସରରେ ସେ ଆହତ ହୋଇଥିଲେ। କ୍ରିକେଟ ପଡିଆରେ ଆମେ ତୁମର ଅନୁପସ୍ଥିତି ଅନୁଭବ କରିବୁ। ଖୁବ୍‌ଶ୍ରୀଘ୍ର ସୁସ୍ଥ ହୋଇ ତୁମେ ପୁଣି କ୍ରିକେଟ ଫିଲ୍ଡକୁ ପ୍ରତ୍ୟାବର୍ତ୍ତନ କର ଓ ଦେଶକୁ ଅଧିକରୁ ଅଧିକ ମ୍ୟାଚ୍‌ରେ ବିଜୟୀ କରାଅ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଆଉ କୌଣସି ବିଶ୍ୱକପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଧାଓ୍ବନ ଦେଇଥିବା ମେସେଜକୁ ଊଦ୍ଧୃତ କରି ପ୍ରଧାନମନ୍ତ୍ରୀ ଏହି ଟୁଇଟ୍‌ କରିଛନ୍ତି। ଧାଓ୍ବନଙ୍କ ବଦଳ ଖେଳାଳିଭାବେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଧାଓ୍ବନଙ୍କୁ ବହୁ ପୂର୍ବତନ ଓ ଏବେକାର କ୍ରିକେଟର ଏଥିପାଇଁ ସାନ୍ତ୍ୱନା ଜଣାଇଛନ୍ତି ଓ ଶୀଘ୍ର ଫିଟ୍‌ ହୋଇ ପୁଣି ପଡିଆକୁ ଫେରିବା ନେଇ ଆଶାପ୍ରକାଶ କରିଛନ୍ତି।

Share