Categories: ଖେଳ

ଧାଓ୍ବନଙ୍କ ଭାବବିହ୍ବଳ ଟୁଇଟ୍‌

ସାଉଥାମ୍ପ୍‌ଟନ,୨୦।୬:ଭାରତୀୟ ଦଳର ଓପନର୍‌ ଶିଖର ଧାଓ୍ବନ ଚଳିତ ବିଶ୍ୱକପରୁ ବାଦ ପଡିଛନ୍ତି। ବୁଢ଼ାଆଙ୍ଗୁଠି ଭାଙ୍ଗିଯିବା ଫଳରେ ସେ ବିଶ୍ୱକପରେ ବାକି ମ୍ୟାଚ୍‌ ଖେଳିପାରିବେ ନାହିଁ। ବିଶ୍ୱକପରୁ ବାଦ୍‌ ହେବା ପରେ ଟୁଇଟରରେ ଏକ ଭାବବିହ୍ବଳ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି,ଆଘାତ ସମସ୍ୟାରେ ଆଶାନୁରୂପ ସୁଧାର ନ ଆସିବାରୁ ଓ ସମ୍ପୂର୍ଣ୍ଣ ଫିଟ ହେବାର କୌଣସି ସମ୍ଭାବନା ନ ଥିବାରୁ ଚଳିତ ବିଶ୍ୱକପରେ ଆଉ ଭାଗ ନେଇପାରିବି ନାହିଁ। କିନ୍ତୁ ଭାରତୀୟ ଦଳର ଜବରଦସ୍ତ ପ୍ରଦର୍ଶନ ଜାରି ରହିବ। ଫ୍ୟାନ୍‌ମାନଙ୍କ ଭଲ ପାଇବା, ଦଳର ଉତ୍ସାହ ପାଇଁ ସେମାନଙ୍କ ଧନ୍ୟବାଦ ଜଣାଇଛନ୍ତି ଧାଓ୍ବନ। ସୂଚନାଯୋଗ୍ୟ, ୩୩ ବର୍ଷୀୟ ଧାଓ୍ବନ ଗତ ୯ ତାରିଖରେ ଲଣ୍ଡନରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବାମହାତ ବୁଢ଼ାଆଙ୍ଗୁଠିରେ ଆଘାତ ପାଇଥିଲେ। ଫଳରେ ତାଙ୍କୁ ସେତେବେଳେ ୧୬ ତାରିଖରେ ଖେଳାଯାଇଥିବା ପାକିସ୍ତାନ, ୨୨ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ଓ ୨୭ ତାରିଖରେ ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରୁ ବାଦ ଦିଆଯାଇଥିଲା। ଧାଓ୍ବନଙ୍କ ବଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି।

Share