ଧାନକଟା ମେଶିନ ପିଟି ହୋଇଯିବାରୁ ଚାଷୀଙ୍କ ପ୍ରାଣଗଲା

ଧାମନଗର, ୧୦ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ଦିନାଜପୁର ଗ୍ରାମର ମାଧବ ରାଉତ(୪୦) ନାମକ ଚାଷୀ ଧାନକଟା ମେଶିନରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ଗୁରୁନଗର ଶାସନ ନିକଟ ଦଣ୍ଡାକୁଳ ପାଟରେ ମେଶିନ ଦ୍ୱାରା ଧାନ କଟାଯାଉଥିଲା। ମେଶିନ ଧାନ ଢାଳିବା ସମୟରେ ମାଧବ ପାଲ ସଜାଡୁଥିଲେ। ଏହି ସମୟରେ ମେଶିନ ପିଟି ହୋଇଯିବାରୁ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଦିନାଜପୁର ଗ୍ରାମର ମାଧବ ଜଣେ ସଫଳ ଚାଷୀ ଭାବେ ପରିଚିତ। ସେ ବିଭିନ୍ନ ଆଧୁନିକ ପ୍ରଣାଳୀରେ ଧାନ ଚାଷ କରୁଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଧୁଷୁରୀ ଥାନା ଆଇଆଇସି ପ୍ରଫୁଲ୍ଲ କୁମାର ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଧାନକଟା ମେଶିନକୁ ଜବତ କରାଯାଇ ଥାନାକୁ ଅଣାଯାଇଛି। ମାଧବଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି ।