ଧାନକିଣାକୁ କେନ୍ଦ୍ର କରି ସମବାୟ ସମିତି ସମ୍ମୁଖରେ ଧାରଣା

ଜଳେଶ୍ୱର,୧।୧(ସ୍ବ.ପ୍ର): ଜଳେଶ୍ୱର ସ୍ଥିତ ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଚାଫଲା ସେବା ସମବାୟ ସମିତିରେ ବିବାଦ ଦେଖାଦେବାରୁ ଧାରଣା ଦିଆଯାଇଥିଲା। ଫଳରେ ଧାନ କ୍ରୟ ଲାଗି ନାମ ପଞ୍ଜୀକରଣ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି। ଏହି ସମବାୟ ସମିତି ଅଧୀନରେ ଥିବା ୯ଟି ଗ୍ରାମର ୨୬୩ଜଣ ଚାଷୀଥିବା ବେଳେ ୬୮ଜଣ ଚାଷୀଙ୍କ ନାମ ଧାନକ୍ରୟ ଲାଗି ପଞ୍ଜୀକରଣ ହୋଇଛି। ତେଣୁ ଧାନବିକ୍ରି କରି ନ ପାରି ଚାଷୀମାନେ ହଇରାଣ ହେଉଥିବାବେଳେ ସମ୍ପାଦକଙ୍କୁ ବୋର୍ଡ ଦାୟୀ କରିଛି। ଫଳରେ ଗତ ମଙ୍ଗଳବାର ବୋର୍ଡ ସଭାପତି ରବୀନ୍ଦ୍ର ପାତ୍ର, ମନୋରଞ୍ଜନ ଜେନା, ମୃତ୍ୟୁଞ୍ଜୟ ଭୂୟାଁ, ଅନନ୍ଦ ପାତ୍ର, ମୂରଲୀ ଗିରି ପ୍ରମୁଖଙ୍କ ନେତୃତ୍ୱରେ ସେବା ସମବାୟ ସମିତି ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରତି କୁଇଣ୍ଟାଲକୁ ୫/୬ କେଜି ଧାନ ଓଜନରେ କମ୍‌ ନିଆଯାଉ ଥିବାରୁ ଚାଷୀମାନଙ୍କ ପକ୍ଷରୁ ବିରୋଧ କରାଯାଇ ଆସୁଛି। ଧାରଣା ଆରମ୍ଭ ହେବାର କିଛି ସମୟପରେ ବାଲେଶ୍ୱରର ଡେପୁଟି ରେଜିଷ୍ଟାର ପ୍ରଶାନ୍ତ କୁମାର ମହାନ୍ତି, ଏସ୍‌ଏଆର୍‌ ବିଜୟ କୁମାର ରାଉଳ, ଜଳେଶ୍ୱର ବ୍ୟାଙ୍କର ସୁପରଭାଇଜର ଅଜୟ କୁମାର କର ଓ ନିରଞ୍ଜନ ଦାସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Share