ଧାନକିଣାକୁ ନେଇ ଅସନ୍ତୋଷ: ତାଲା ପକାଇ ଧାରଣାରେ ବସିଲେ ଚାଷୀ

ସଜନାଗଡ଼, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପ ଅଧୀନ ଅଯୋଧ୍ୟା ସୋସାଇଟିରେ ଧାନକିଣାକୁ ନେଇ ସୋମବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଫଳରେ ଚାଷୀମାନେ ସୋସାଇଟି ଅଫିସରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।
ସରକାରଙ୍କର ନିୟମ ଅନୁସାରେ ମଣ୍ଡିରେ ଧାନ ବିକ୍ରୟ ପାଇଁ ମେସେଜ ପାଇବା ପରେ ବହୁ ଚାଷୀ ଧାନ ନେଇ ମଣ୍ଡିକୁ ଆସିଥିଲେ। ତେବେ ମିଲରଙ୍କ ଦୋମୁଁହା ନୀତି ଯୋଗୁ ଧାନ ବୁରା ଠିକ୍‌ ନାହିଁ ବୋଲି କହି ଚାଷୀଙ୍କୁ ଫେରାଇ ଦିଆଯାଇଥିଲା। ଚାଷୀମାନେ ପୁନର୍ବାର ବୁରା, ଅଖା ସଜାଡ଼ି ସୋସାଇଟିକୁ ଆସିଥିଲେ। ମାତ୍ର ଧାନ କିଣିବା ପାଇଁ କୁରୁଡ଼ାସ୍ଥିତ ଲକ୍ଷ୍ମୀ ଆଗ୍ରୋ ମିଲରଙ୍କ ଦେଖା ନ ଥିବା ଯୋଗୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଘଟଣାକୁ ନେଇ ଚାଷୀମାନେ ନୀଳଗିରି ଲ୍ୟାମ୍ପ ଏମ୍‌ଡ଼ି, ଏସିଏସ୍‌ଓ, ସିଏସଓଙ୍କୁ ଜଣାଇଥିଲେ ମଧ୍ୟ କାହାରି ଦେଖା ନ ଥିବାରୁ ଚାଷୀମାନେ ଧାନବସ୍ତାଗୁଡ଼ିକୁ କାର୍ଯ୍ୟାଳୟ ପରିସରରେ ରଖି ଗେଟ୍‌ ଫାଟକରେ ତାଲା ଦେଇ ଧାରଣା ଦେଇଥିଲେ। ଚାଷୀ ମହେଶ୍ୱର ସିଂ, ରତ୍ନାକର ରାଜ, ଲଳିତ ନାରାୟଣ ମହାନ୍ତି, ସୁଶାନ୍ତ ରାଜ, ରବିନ୍ଦ୍ର ବିଶ୍ୱାଳ, ଶୁଭାଶିସ ମହାନ୍ତି, ପ୍ରମୋଦ କୁମାର ପରିଡ଼ା ୧୧ ଜଣ ଚାଷୀ ୨୫୦ କୁଇଣ୍ଟାଲ ଧାନ ପକାଇ ହାତରେ ଟୋକନ ଧରି ଧାରଣାରେ ବସି ରହିଛନ୍ତି।
ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରଶାସନ ଅଧିକାରୀଙ୍କ ଦେଖା ମିଳିନାହଁି। ଦିନତମାମ୍‌ ଇନଚାର୍ଜ ସମ୍ପାଦକ ମନୋଜ ମହାପାତ୍ର ଘଟଣା ସମ୍ପର୍କରେ ଏମଡ଼ି ଓ ବିଭାଗୀୟ ଅଧିକାରୀଙ୍କୁ ଫୋନ୍‌ କରିଥିଲେ ସୁଦ୍ଧା କେହି ଫୋନ୍‌ ଉଠାଇ ନ ଥିବା ସେ ସୂଚନା ଦେଇଛନ୍ତି। ରାତି ୭ଟାରେ ଘଟଣାସ୍ଥଳରେ ଅଯୋଧ୍ୟା ଫାଣ୍ଡି ଅଧିକାରୀ ପହଞ୍ଚତ୍ ଚାଷୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଚାଷୀମାନେ ଧାରଣାରୁ ଓହରି ନ ଥିଲେ।