ଧାନକିଣାରେ ଅନିୟମିତତା: ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ଆନନ୍ଦପୁର,୨୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଯୋଗାଣ ବିଭାଗ ଅଧୀନ ଖାଳିଆମେଣ୍ଟା ସେବା ସମବାୟ ସମିତିରେ ଧାନକିଣାରେ ହୋଇଥିବା ଅନିୟମିତତା ଘଟଣା ବିରୋଧରେ ସୋମବାର ଚାଷୀମାନେ ସମବାୟ ସମିତିରେ ତାଲା ପକାଇ ଦେଇଛନ୍ତି। ଏହି ସମବାୟ ସମିତି ଅଧୀନ କେତେକ ଚାଷୀ ଟୋକନ୍‌ ପାଇ ଦୁଇ ଦୁଇ ଥର ଧାନ ବିକ୍ରି କରିଥିଲେ ମଧ୍ୟ ଅନ୍ୟ କେତେକ ଚାଷୀ ଆଦୌ ଟୋକନ୍‌ ପାଇନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଧାନକିଣା ଶେଷ ହେବାକୁ ବସିଥିବାବେଳେ ଟୋକନ୍‌ ପାଇ ନ ଥିବା ଚାଷୀ ଦ୍ୱନ୍ଦ୍ୱରେ ପଡ଼ି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛନ୍ତି।