ଧାନକିଣାରେ ମହିଳା ଏସ୍‌ଏଚ୍‌ଜି ସାମିଲ, ମାର୍କଫେଡ୍‌ ବିଦା

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୦ ସୁଦ୍ଧା ରାଜ୍ୟରେ ୯ ଲକ୍ଷ, ୭୯ ହଜାର ୯୫୮ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୧ ଲକ୍ଷ ୧୨ ହଜାର ୪୭ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ବରଗଡ଼ ୮୫୫୦୯, ବାଲେଶ୍ୱର ୪୮୮୯୦, ଭଦ୍ରକ ୩୧୧୩୬୧, କଟକ ୪୦୬୯୩, କଳାହାଣ୍ଡି ୬୪୯୪୦, ଖୋର୍ଦ୍ଧା ୩୦୬୦୫, ସମ୍ବଲପୁର ୩୪୨୧୯, ସୁନ୍ଦରଗଡ଼ ୩୨୦୧୩, ସୁବର୍ଣ୍ଣପୁର ୪୪୩୯୦, କେନ୍ଦ୍ରାପଡ଼ାରେ ୨୪୯୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ପ୍ରଥମ ଥର ପାଇଁ ଧାନ କିଣିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରାଯାଇଥିବା ବେଳେ ଚଳିତ ବର୍ଷ ମାର୍କଫେଡକୁ ଧାନ କିଣାରୁ ବାଦ୍‌ ଦିଆଯାଇଛି। ଧାନ କିଣାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଖରିଫ୍‌ ଋତୁରେ କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ ମଧ୍ୟ ସେମାନଙ୍କର ଧାନ ବିକ୍ରି କରିପାରିବେ। ମୁଣ୍ଡପିଛା ୩ କୁଇଣ୍ଟାଲ ଧାନ ଛାଡ଼ି ବଳକା ବିିକ୍ରି କରିବାକୁ ସରକାର ଅନୁମତି ଦେଇଛନ୍ତି। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରୁ ଧାନ କ୍ରୟ ଆରମ୍ଭ ହେବ। ଅନ୍‌ଲାଇନ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯିବ। ୨୦୧୮-୧୯ରେ ଖରିଫ୍‌ ଧାନ ବିକ୍ରି ପାଇଁ ୧୨ ଲକ୍ଷ ୫୦ ହଜାର ଚାଷୀ ନାମ ପଞ୍ଜୀକୃତ କରିଥିଲେ। ଆସନ୍ତା ଖରିଫ୍‌ ଋତୁରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧,୮୧୫ଟଙ୍କା କୁଇଣ୍ଟାଲ ପିଛା ଧାର୍ଯ୍ୟ କରାଯାଇଛି। ଗତ ବର୍ଷ ୧ ଲକ୍ଷ ଭାଗଚାଷୀ ଧାନ ବିକ୍ରି କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଭାଗଚାଷୀମାନେ ସରପଞ୍ଚ କିମ୍ବା ଜମି ମାଲିକଙ୍କଠାରୁ ଅନୁମତି ପତ୍ର ଆଣି ଧାନ ବିକିବା ପାଇଁ ନିଜର ନାମ ପଞ୍ଜୀକୃତ କରିପାରିବେ। ତେବେ ଆଧାର ଲିଙ୍କ୍‌ କରାଯାଉଥିବାରୁ ଚଳିତବର୍ଷ ଚାଷୀ ପଞ୍ଜୀକରଣ ୨ ଲକ୍ଷ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ ଧାନ ପଞ୍ଜୀକରଣ କିଭଳି ଚାଲିଛି ସେ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗର ୧୬ ଜଣ ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହି ଅଧିକାରୀମାନେ ୩୦ଟି ଜିଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟକୁ ତଦାରଖ କରିବେ। ଏମାନେ ଦୁଇଦିନ ଉଦ୍ଦିଷ୍ଟ ଜିଲାର ପ୍ରାଥମିକ ସମବାୟ ସମିତି, ଲ୍ୟାମ୍ପସ୍‌, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ହେଉଥିବା ଚାଷୀ ପଞ୍ଜୀକରଣ କାର୍ଯ୍ୟର ତଦାରଖ କରିବେ। ପଞ୍ଜୀକରଣ ସମୟରେ ଚାଷୀ ଦେଇଥିବା ଜମିଜମା ସଂକ୍ରାନ୍ତୀୟ ତଥ୍ୟ ଓ ପଟ୍ଟାଗୁଡିକର ଯାଞ୍ଚ କରିବେ। ପଞ୍ଜୀକୃତ ଚାଷୀଙ୍କର ତାଲିକା ପଞ୍ଚାୟତ, ସମବାୟ ସମିତି ଓ ଧାନ ସଂଗ୍ରହ କେନ୍ଦ୍ରଗୁଡିକରେ ପ୍ରଦର୍ଶନ କରାଯାଇଛି କି ନାହିଁ ସେସବୁର ତନଖି କରିବେ। ଚାଷୀମାନଙ୍କର ମଧ୍ୟ ଆପତ୍ତି ଅଭିଯୋଗ ଶୁଣିବେ।

Share