ଧାନଖଳାରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ: ଜଳିଗଲା ୧୬୦ କ୍ୱିଣ୍ଟାଲ ଧାନ

ଲୋଇସିଂହା,୨୨।୧୨(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁର ଏକ ଧାନଖଳାରେ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଜଣେ ଭାଗଚାଷୀଙ୍କର ୧୦ ଏକର ଖରି ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଲୋଇସିଂହା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନାଯୋଗ୍ୟ, ଗୁର୍ଜିଭଟା ଗାଁର ଭାଗଚାଷୀ ସଦା  ପଧାନ ୧୦ ଏକର ଜମି ଚାଷ କରିଥିଲେ। ଧାନ ଅମଳ କରି ନିଜ ଘର ସମ୍ମୁଖ ଖଳାରେ ରଖିଥିଲେ। ଶନିବାର ବିଳମ୍ବିତ ରାତିରେ ସଦାଙ୍କ ଭାଇବୋହୂ ବାହାରକୁ ଆସିଥିବାବେଳେ ଧାନଗଦା ଜଳୁଥିବା ଦେଖିବାକୁ ପାଇଥିଲେ। ଏହା ପରେ ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ଆସି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଚାରିଆଡ଼େ ବ୍ୟାପୀ ଯାଇଥିଲା। ପରେ ଅଗ୍ନିଶମ ବିଭାଗକୁ ଖବର ଦେବାରୁ କର୍ମଚାରୀମାନେ ଆସି ନିଆଁ ଲିଭାଇଥିଲେ। ଏଥିରେ ପ୍ରାୟ ୧୬୦ କ୍ୱିଣ୍ଟାଲ ଧାନ ନଷ୍ଟ ହୋଇଥିବା ଜଣାପଡ଼ିଛି।

Share