Categories: ରାଜ୍ୟ

ଧାନଚାଷ ନିମନ୍ତେ ମୌସୁମୀ ବର୍ଷାକୁ ଭରସା: ବିଳମ୍ବ ହେବାରୁ ଚାଷ କାର୍ଯ୍ୟରେ ବାଧା

ବୋଲଗଡ଼,୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀ ମାନେ ଖରିଫ ଧାନ ଚାଷ ନିମନ୍ତେ ବିଶେଷ ଭାବେ ମୌସୁମୀ ବର୍ଷା ଉପରେ ନିର୍ଭର ବା ଭରସା କରି ରହିଥାନ୍ତି । ତେବେ ଜଳବାୟୁ ପରିବର୍ତ୍ତନଜନିତ କାରଣରୁ ବରଷାକୁ ଆଉ ଭରସା କରିହେଉନାହଁି । ଚଳିତ ବର୍ଷ ମୌସୁମୀ ବର୍ଷା ଆସିବାରେ ବିଳମ୍ବ ହୋଇଛି। ଜୁନ ଶେଷ ହୋଇ ଜୁଲାଇ ଆରମ୍ଭ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଭଲ ବର୍ଷା ହୋଇପାରିନି । ତଥାପି ସୋମବାର ଭଲ ବର୍ଷା ହୋଇଥିବାରୁ ଚାଷୀମାନଙ୍କ ମନରେ କିଛି ମାତ୍ରାରେ ଆଶାର ସଞ୍ଚାର ହୋଇଛି। ତେବେ ବୁଣାଧାନ ଜମି ପାଇଁ ବର୍ଷା ଲାଗି ରହିଲେ କିଛି ଦିନ ପରେ ବେଉଷଣ କାର୍ଯ୍ୟ ହୋଇପାରିବ । ଜମି କାଦୁଅ କରାଯାଇ ତଳି ଘେରା ପ୍ରସ୍ତୁତି ପରେ ରୁଆ କାମ ମଧ୍ୟ ଆରମ୍ଭ ହେବ । ଉପଯୁକ୍ତ ବର୍ଷା ନ ହେଲେ ଏ କାର୍ଯ୍ୟରେ ବାଧା ଘଟିବ। ଚଳିତ ବର୍ଷ ପ୍ରଥମେ ପାଣିପାଗ ବିଭାଗ ପକ୍ଷରୁ ଜୁନ ୨ୟ ସପ୍ତାହରେ ମୌସୁମୀ ଆଗମନର ସୂଚନା ଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଏବେ ଜୁଲାଇ ଆରମ୍ଭ ହୋଇଯାଇଛି। ଭଲ ବର୍ଷା ହେଲେ ଧାନ ରୋଇବା ଓ ତଳି ଘେରା ପ୍ରସ୍ତୁତି କରିବା ପାଇଁ ଚାଷୀମାନେ ଅପେକ୍ଷା କରିଛନ୍ତି । ତଳି ପ୍ରସ୍ତୁତି କରିବାର ପ୍ରାୟ ୨୫ଦିନରୁ ୧ମାସ ପରେ ରୁଆ ପୋତା ହୋଇଥାଏ। ତେବେ ଗତ ୨ବର୍ଷ ଧରି ବୋଲଗଡ ବ୍ଲକ ଅଞ୍ଚଳରେ ଜୁନ୍‌ରେ ଭଲ ବର୍ଷା ନ ହୋଇ କେବଳ ଜୁଲାଇ ମାସରେ ଠିକ୍‌ ବର୍ଷା ହେବା ଦ୍ୱାରା ଚାଷ କାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ମରୁଡି ଓ ରୋଗ ପୋକ ଆକ୍ରମଣରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ । ଅମଳ ବେଳକୁ ଅଦିନିଆ ବର୍ଷା ମଧ୍ୟ ଫସଲର କ୍ଷତି କରିଥିଲା। ଏ ବର୍ଷ ମଧ୍ୟ ତଳିଘେରା ପ୍ରସ୍ତୁତ ନିମନ୍ତେ ଚାଷୀକୂଳ ଅପେକ୍ଷା କରିଥିଲେ। କିନ୍ତୁ ଆବଶ୍ୟକ ପରିମାଣ ବର୍ଷା ହେଲାନି। ତେବେ ବର୍ତ୍ତମାନ ୨ ଦିନ ହେଲା ଭଲ ବର୍ଷା ହୋଇଛି। କିନ୍ତୁ ଏହାର ଅଭାବ ଘଟିଲେ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ବ୍ଲକ ଅଞ୍ଚଳରେ ପ୍ରତି ବର୍ଷ ପ୍ରାୟ ୧୪ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଧାନ ଚାଷ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ୧୪ହଜାର ୪ଶହ ୭୭ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ କୃଷି କାର୍ଯ୍ୟାଳୟ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରହିଛି । ଉଲ୍ଲେଖଯୋଗ୍ୟ, ବିଗତ ୭/୮ ବର୍ଷ ଧରି ବନ୍ୟା, ବାତ୍ୟା, ମରୁଡ଼ି ଓ କୀଟପତଙ୍ଗ ଭଳି ଦୁର୍ବିପାକ ଯୋଗୁ ଏହି ଅଞ୍ଚଳର ଚାଷୀମାନେ ଭଲ ଫସଲ ଅମଳ କରିପାରୁ ନାହାନ୍ତି। ତେଣୁ ବର୍ଷାର ଲୁଚକାଳି ଖେଳକୁ ପ୍ରତିହତ କରିିବା ନିମନ୍ତେ କୃଷିକ୍ଷେତ୍ରରେ ଜଳସେଚନକୁ ବ୍ୟାପକ କରିବାକୁ ବୋଲଗଡ଼ ବ୍ଲକ ଅଞ୍ଚଳରେ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି।

Share