ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ: ଜିଲାପାଳଙ୍କ ଅଫିସ ଘେରାଉ କଲେ ଚାଷୀ

ନୂଆପଡା ଅଫିସ,୩ା୭: ନୂଆପଡା ଜିଲାରେ ରବି ଧାନକିଣାରେ ଅଚଳାବସ୍ଥା ଲାଗିରହିଛି । ଚାଷୀମାନେ ବାରମ୍ବାର ବ୍ଲକରୁ ଜିଲା ଅଫିସ ଦୌଡି ନୟାନ୍ତ ହେବା ପରେ ଜିଲାପାଳଙ୍କ ଅଫିସ ଘେରାଉ କରିବା ସହ ଜାତୀୟ ରାଜପଥରେ ଧାନ ବସ୍ତା ରଖି ଅବରୋଧ କରି ରଖିଥିଲେ। ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଏଠାରୁ ଯିବେ ନାହିଁ କି ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ଅଡି ବସିଥିଲେ। ଗେଟରେ ପୋଲିସ ତାଲା ପକାଇଦେବାରୁ ବାଧ୍ୟ ହୋଇ ଜାତୀୟ ରାଜପଥରେ ରଖିଥିଲେ। ପୂର୍ବାହ୍ନ ୧୦ଟାରୁ ଗୋଟିଏ ରାସ୍ତା ଅବରୋଧ କରିଥିବାବେଳେ ଦିନ ଦୁଇଟାବେଳେ ଦୁଇଟି ରାସ୍ତାକୁ ଅବରୋଧ କରିଥିଲେ। ଚାଷୀମାନେ ବିଭିନ୍ନ ନାରାବାଜି କରି ଆନ୍ଦୋଳନକୁ ତୀବ୍ର କରିଥିଲେ।
ପ୍ରକାଶ ଯେ, ଜିଲାରେ ଠିକ ସମୟରେ ଧାନ କିଣା ଆରମ୍ଭ କଲେ। ମଣ୍ଡି ଖୋଲାହେଲା। ହେଲେ ମଣ୍ଡିରେ ଚାଷୀମାନେ ଧାନବସ୍ତା ଆଣି ଖରା ବର୍ଷାରେ ଜଗି ରହିଲେ । ସେପଟେ ମିଲର୍ସମାନେ ଆଉ ଆସିଲେ ନାହିଁ । ଧାନବସ୍ତା ଗଜା ହେଲା । ଏହାକୁ ନେବାକୁ ହେଲେ ମିଲର୍ସମାନେ କଟନି ପାଇଁ ଦାବି କଲେ । ଏଭଳି ଅବସ୍ଥାରେ ଜୋରଯାର ମୂଳକ ତାର ନୀତିରେ ବଡମୁଣ୍ଡିଆ ଚାଷୀଙ୍କଧାନ ଉଠିଥିବାବେଳେ ପଡୋଶୀ ଛତିଶଗଡରୁ ମିଲର୍ସମାନେ ହଜାର ହଜାର ବସ୍ତା ଧାନ ଆଣି ଭର୍ତ୍ତି କରିଦେଲେ । ଫଲସ ଏଣ୍ଟ୍ରି କରି ଟାର୍ଗେଟ ପୁରାଇଦେଲେ। ରାଜ୍ୟ ସରକାର ଜିଲାକୁ ୨ ଲକ୍ଷ ୯୨ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଟାର୍ଗେଟ ଦେଇଥିଲେ। ଏହା ସହଜେ ପୂରଣ ହୋଇଗଲା । ଏପଟେ ଜିଲାରେ ବର୍ତ୍ତମାନ ୩୦ ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ମଣ୍ଡି ଏବଂ ଚାଷୀଙ୍କ ଘରେ ପଡି ରହିଛି। ଚାଷୀଙ୍କ ବାରମ୍ବାର ଦାବି ସତ୍ୱେ ଚାଷୀଙ୍କ ଧାନକୁ ସର୍ଭେ କରା ନ ଯାଇ ବିଭିନ୍ନ ପ୍ରତିଶ୍ରୁତି ଦେଇ ଟାଳି ରଖିଲେ। ଶେଷରେ ଧାନକିଣା ଶେଷ ତାରିଖ (ଜୁନ ୩୦) ଆସିଗଲା । ଶେଷରେ ଚାଷୀ ଜଳକା ହୋଇ ଦେଖିଲେ । ଏହାକୁ ନେଇ ବାରମ୍ବାର ଦାବି ପ୍ରତିବାଦ କରିଆସୁଛନ୍ତି। ହେଲେ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ବୁଧବାର ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ହଜାର ହଜାର ବସ୍ତା ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଚତୁର୍ଭୁଜ ଶର୍ମା, ରବୀନ୍ଦ୍ର ମଙ୍ଗରାଜ ପ୍ରମୁଖ ନେତୃତ୍ୱ ନେଉଥିବାବେଳେ ଡୁମେରପାଣି, ସାରାବଙ୍ଗ, ପରକୋଡ, ଆମସେନା, ବିରୋମାଲ ଆଦି ଗାଁର ଚାଷୀମାନେ ସାମିଲ ରହିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଅଧିକାରୀ ଆସି ନ ଥିବା ଜଣାପଡ଼ିଛି। ଏଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇ ପରିସ୍ଥିତିକୁ ଆୟତରେ ରଖାଯାଇଥିଲା।

 

Share