ଧାନବୋଝେଇ ଟ୍ରକରେ ଲାଗିଲା ନିଆଁ

ବରଗଡ଼ ଅଫିସ,୨୦ା୬ : ବରଗଡ଼ ଜିଲା ବିଜେପୁର-ଗାଇସିଲେଟ୍‌ ରାସ୍ତାର ନୂଆଁପାଲି ନିକଟରେ ଗୁରୁବାର ଅପରାହ୍ନରେ ଏକ ଧାନ ବୋଝେଇ ଟ୍ରକ(ଓଆର ୧୩ ଏମ୍‌ ୧୩୬୨)ରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଟ୍ରକର ସମ୍ମୁଖ ଭାଗରେ ନିଆଁ ଲାଗି ଯିବାରୁ ସେଥିରେ ବୋଝେଇ ହୋଇଥିବା କିଛି ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଟ୍ରକ ଡ୍ରାଇଭର, ହେଲପର ଓହ୍ଲାଇ ପଡ଼ିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ପାଇ ବିଜେପୁର ଦମକଳ କେନ୍ଦ୍ରରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକରେ ଲାଗିଥିବା ବ୍ୟାଟେରୀ ଶର୍ଟ୍‌ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ କୁଣ୍ଡାଖାଇ ପ୍ରାଥମିକ କୃଷି ସମବାୟ ସମିତିରୁ ଟ୍ରକଟି ଧାନ ବୋଝେଇ କରି ବିଜେପୁରର ଏକ ରାଇସ୍‌ ମିଲକୁ ଯିବା ବାଟରେ ଏହି ଘଟଣା ଘଟିଥିଲା।